ଓଡିଶାକୁ ଫେରିଲା ନାଇଟ୍‌କର୍ଫ୍ୟୁ : ରାତି ୯ଟାରୁ ସହରାଞ୍ଚଳରେ ଲାଗୁହେଲା କର୍ଫ୍ୟୁ

ଭୁବନେଶ୍ବର ୦୫/୦୧ :ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ ଲାଗୁ କରାଯାଇଛି । ଆସନ୍ତା ଜାନୁଆରୀ ୯ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁହେବ ନାଇଟ୍‌କର୍ଫ୍ୟୁ । ଏହା ସହିତ ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍‌ ପାଠପଢା । ଦ୍ବାଦଶ ଶ୍ରେଣୀ ଯାଏଁ ଜାରିରହିଥିବା କ୍ଲାସ୍‌ ରୁମ୍‌ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନ୍‌ରେ ପାଠପଢା ଜାରି ରହିବ ।

ଏସ୍‌ଆର୍‌ସି ଜାରି କରିଥିବା ନୂଆ ଗାଇଡଲାଇନ୍‌ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ । ଚାଲୁ ରହିବ ମାଟ୍ରିକ୍‌ ସମେଟିଭ୍‌ ପରୀକ୍ଷା । ରାଜ୍ୟରେ ହାଟ, ଦୋକାନ ବଜାର​‌ରେ ଥିବା ଦୋକାନ ବଜାର ମାଲିକମାନଙ୍କୁ କୋଭିଡ ଗାଇଡଲାଇନ୍‌ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ ନିୟମ ପାଳନ ନକଲେ ଦୋକାନକୁୁ ୭ ଦିନ ପାଇଁ ସିଲ୍‌ କରାଯିବ ।

ରାଜ୍ୟରେ ପିକ୍‌ନିକ୍‌ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । କୌଣସି ହୋଟେଲ, ମଲ୍‌, କନଭେନସନ୍‌ ସେଣ୍ଟର ଏବଂ କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ କିମ୍ବା ଏନକରସନ୍‌ କରିପାରିବେ ନାହିଁ। ଧାର୍ମିକ ପୀଠମାନଙ୍କରେ କେବଳ ନୀତିକାନ୍ତି କରାଯିବ। କୌଣସି ଗହଳି କରାଯିବ ନାହିଁ । ଏ ନେଇ ସ୍ଥାନୀୟ ପ୍ରଶାସନ ଆଲର୍ଟ ରହିବ । ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ପବ୍‌ମାନଙ୍କରେ ପୂର୍ବରୁ ଶତ ପ୍ରତିଶତ ଲୋକ ବସୁଥିଲେ । କିନ୍ତୁ ଏବେ ତାହା ୫୦ ପ୍ରତିଶତରେ ଚାଲୁରହିବ । ସେହିଭଳି ରାସ୍ତା ଘାଟରେ ଷ୍ଟ୍ରିଟ୍‌ ଭେଣ୍ଡରମାନେ ରାତି ୯ଟା ଯାଏଁ ନିଜର ବ୍ୟବସାୟ କରିପାରିବେ । ଏହା ସହିତ ସେମାନେ ଗ୍ରାହକଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ କହିବେ । ପ୍ଲବିକ୍‌ ଟ୍ରାନ୍ସପୋର୍ଟ ଯେପରିକି, ବସ୍‌, କାର୍‌, ଟ୍ୟାକ୍ସିମାନଙ୍କରେ ଯାତ୍ରା କରିବାବେଳେ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦେବେ ।

Spread the love