ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି, ମାସର ଦୁଇ ରବିବାର ଲାଗିବ କର୍ଫ୍ୟୁ

ଥିରୁଅନନ୍ତପୁରମ ୨୧।୦୧: କେରଳରେ କରୋନା ମହାମାରୀର ପ୍ରକୋପ ବଢିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ସ୍ଥିତି ଅଣାୟତ୍ତ ଆଡକୁ ଗତି କରୁଛି। ଫଳରେ ସ୍ଥିତିକୁ ଦୃଷ୍ଟିରେ ରଖି କେରଳ ସରକାର ରାଜ୍ୟରେ ନୂତନ କୋଭିଡ୍ କଟକଣା ଲାଗୁ କରିଛନ୍ତି। ମାସର ଶେଷ ଦୁଇ ରବିବାର ଅର୍ଥାତ ଜାନୁଆରୀ ୨୩ ଏବଂ ଜାନୁଆରୀ ୩୦ରେ କର୍ଫ୍ୟୁ ଘୋଷଣା କରିଛନ୍ତି କେରଳ ସରକାର। ଏହି ସମୟରେ ସବୁ ଦୋକାନ ବଜାର ବନ୍ଦ ରହିବ। ଏହି ଦୁଇ ରବିବାର କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି।

ଉଲ୍ଲେଖନୀୟ ଗୁରୁବାର ରାଜ୍ୟରେ ୪୬,୩୮୭ ନୂତନ କେସ୍ ଚିହ୍ନଟ ହୋଇଛନ୍ତି, ଯାହା ୨୦୨୦ ମହାମାରୀ ଆରମ୍ଭ ପରଠୁ ଗୋଟିଏ ଦିନରେ ରେକର୍ଡ କେସ୍। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୧ ମେ ୧୨ରେ ଗୋଟିଏ ଦିନରେ ୪୩,୫୨୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ଗୁରୁବାର ଚିହ୍ନଟ ଆକ୍ରାନ୍ତ ସବୁ ରେକର୍ଡ ଭାଙ୍ଗି ଦେଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୧୫,୩୫୭ ନମୂନା ପରୀକ୍ଷଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା କେରଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୯୯,୦୪୧ ରହିଛି। ଗୁରୁବାର କରୋନା ମହାମାରୀରେ ୩୪୧  ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧,୫୦୧ରେ ପହଞ୍ଚିଛି।

ନୂତନ କଟକଣା

– ୨୦୨୨ ଜାନୁଆରୀ ୨୩ ଏବରଂ ୩୦ ତାରିଖରେ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ।

– ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଯେଉଁ ସରକାରୀ ମହିଳା କର୍ମଚାରୀଙ୍କ ୨ ବର୍ଷ ବୟସରୁ କମ୍ ଛୁଆ ଅଛନ୍ତି ଏବଂ ଘରେ କ୍ୟାନସର ରୋଗୀ ଅଛନ୍ତି, ସେମାନଙ୍କୁ ଓ୍ଵାର୍କ ଫ୍ରମ ହୋମ କରିବାକୁ କୁହାଯାଇଛି।

– ରାଜ୍ୟରେ ସ୍ନାତକତ୍ତୋର ପାଠ୍ୟକ୍ରମ ଏବଂ ଯୁକ୍ତ ୨ ପ୍ରଥମ ଏବଂ ଦ୍ଵିତୀୟ ବର୍ଷକୁ ବାଦ୍ ଦେଲେ ବାକି ଶ୍ରେଣୀର ପାପଠପଢା ଅନଲାଇନରେ ହେବ। ଆବାସୀୟ ବିଦ୍ୟାଳୟ ବା ରେସିଡେଣ୍ଡିଆଲ ସ୍କୁଲରେ ଛାତ୍ର-ଛାତ୍ରୀଙ୍କୁ ନେଇ ପାଠପଢା ହୋଇ ପାରିବ, ଯଦି ସ୍କୁଲ କର୍ତ୍ତୃପକ୍ଷ ଜୈବ ନିରାପତ୍ତା ବଳୟ ସୃଷ୍ଟି କରି ପାରିବେ।

–  କାଟାଗୋରୀ ଏରେ ଥିବା ଜିଲ୍ଲାଗୁଡିକର ସାର୍ବଜନୀନ ସ୍ଥାନ ଯଥା ମଲ୍, ସମୁଦ୍ରକୂଳ, ପର୍ଯ୍ୟଟନସ୍ଥଳରେ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ। ୫୦ ଜଣଙ୍କୁ ନେଇ ବିବାହ, ଶୁଦ୍ଧିକ୍ରିୟା ଏବଂ ଅନ୍ୟ ସାର୍ବଜନୀନ କାର୍ଯ୍ୟ କରାଯିବ।

– କାଟାଗୋରୀ ବିରେ ଥିବା ଅଞ୍ଚଳରେ ସାର୍ବଜନୀନ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି। ଅନଲାଇନରେ ହେବ ଧାର୍ମିକ କାର୍ଯ୍ୟ। ବିବାହ ଏବଂ ଶୁଦ୍ଧିକ୍ରିୟାରେ କେବଳ ୨୦ ଜଣ ସାମିଲ୍ ହୋଇ ପାରିବେ।

– କରୋନା ପ୍ରଭାବିତ ଜିଲ୍ଲାଗୁଡିକୁ ସ୍ଥିତିର ମୁକାବିଲା ପାଇଁ ୨୨ କୋଟି ଆବଣ୍ଟନ କରାଯାଇଛି।

Spread the love