ଚର୍ଚ୍ଚରେ ଗୁଳିମାଡ, ୫୦ ମୃତ

ଅବୁଜା (ନାଇଜେରିଆ),୦୬/୦୬: ଆଫ୍ରିକୀୟ ଦେଶ ନାଇଜେରିଆରେ ରବିବାର ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍‌ସିସ୍‌ କ୍ୟାଥୋଲିକ୍‌ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ । ଏହାପରେ ବିସ୍ଫୋରଣ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ପିଲା ରହିଥିବା ଜଣାପଡ଼ିଛି ।

ଘଟଣା ପରେ ଟ୍ୱିଟ୍‌ କରି ଓଣ୍ଡୋ ଗଭର୍ଣ୍ଣର ରୋତିମି ଆକେରେଡୋଲୁ କହିଛନ୍ତି, ଘଟଣାରେ ଆମେ ଅତ୍ୟନ୍ତ ମର୍ମାହତ । ଶାନ୍ତି ଓ ସୌହାର୍ଦ୍ଦ୍ୟ ଉପରେ ଆକ୍ରମଣ ହୋଇଛି । ଅନ୍ୟପକ୍ଷରେ ଗୁଳିକାଣ୍ଡ ଯୋଗୁ ପ୍ରକୃତରେ କେତେ ପ୍ରାଣ ହରାଇଛନ୍ତି, ସେ ବାବଦରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ୫୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି ।

Spread the love