ମିଳିଲେ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀ

ଢେଙ୍କାନାଳ ୩।୨: ଦୁଇ ଦିନ ହେଲା ନିଖୋଜ ଥିବା ପଂଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କୁ ଶେଷରେ ଠାବ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆ ପାଳ ଗ୍ରାମରୁ ସୁବ୍ରତଙ୍କୁ ପୋଲିସ ଠାବ କରିଛି । ତେବେ ସେ କାହିଁକି ନିଖୋଜ ଓ କିପରି ନିଖୋଜ ହେଲେ ସେ ସମ୍ପର୍କରେ ପୋଲିସ କିଛି ସୂଚନା ଦେଇନାହିଁ । ସୁବ୍ରତଙ୍କୁ ଭାପୁର ଫାଣ୍ଡିରୁ ଢେଙ୍କାନାଳକୁ ନେଇ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।
ସୁବ୍ରତ ବେହେରା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ । ଗତ ମଙ୍ଗଳବାର ତାଙ୍କ ଗ୍ରାମ କଣ୍ଟା ବଣିଆ ଥାନା ଅନ୍ତର୍ଗତ ନୂଆଗାଁରୁ ବାଇକ୍ ଯୋଗେ ନିମବାହାଳି ଛକକୁ ନିଜର ପୋଷ୍ଟର ତିଆରି ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ତାଙ୍କ ପରିବାର ପକ୍ଷରୁ ଖୋଜାଖୋଜି କରି ନପାଇବାରୁ ମଙ୍ଗଳବାର ରାତିରେ କଣ୍ଟା ବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ବୁଧବାର ପୋଲିସ ନିମବାହାଳି ଛକଠାରୁ ୫୦ମିଟର ଦୂରରୁ ନିଖୋଜ ସୁବ୍ରତଙ୍କ ବାଇକକୁ ଠାବ କରି ତଦନ୍ତ କରୁଥିଲା । ସୁବ୍ରତଙ୍କ ମୋବାଇଲ ଟ୍ରାକିଂ କରିବା ସହ ପୋଲିସ ଛାନଭିନ୍ କରୁଥିବା ବେଳେ ଏପଟେ ସଦର ଥାନା ଅଧୀନରେ ଥିବା ଭାପୁର ଫାଣ୍ଡି ଅଂଚଳରୁ ସୁବ୍ରତ ଠାବ ହେବା ଘଟଣା ଏହି ନିଖୋଜ ଘଟଣା ଏକ ନାଟକୀୟ ମୋଡ଼ ନେବ ବୋଲି ଆଶଙ୍କା କରାଯାଉଛି ।

Spread the love