ନୀଳଗିରିରେ ବିଜେପି ମହିଳା ମୋର୍ଚ୍ଚାର ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା, ସାମିଲ୍‌ ହେଲେ ବରିଷ୍ଠ ନେତା

ନୀଳଗିରି, ୧/୧୧: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫଦାରୀ ତଥା ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି । ଏହା ସହିତ ବାଲେଶ୍ଵର ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପ୍ରତିବାଦରେ ଆଜି ବିଜେପି ମହିଳା ମୋର୍ଚ୍ଚା ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ନୀଳଗିରି ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ୫୦୦ରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇ ହାତରେ କ୍ୟାଣ୍ଡେଲ ଧରି ସାମିଲ ହୋଇଥିଲେ।

ଏଥିରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନୀଷା ବେହେରା, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ବିଜେପି ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର ଓ କରୁଣାକର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଈଶ୍ବର ବେହେରା, ନାରୀ ନେତ୍ରୀ ଶୋଭନା ମହାନ୍ତି, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମମିତା ମେହେରକୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ଯଦି ରାଜ୍ୟ ସରକାର ତାଙ୍କ ପରିବାରଙ୍କୁ ନ୍ୟାୟ ନଦିଅନ୍ତି ତାହେଲେ ଆନ୍ଦୋଳନ ଆଗକୁ ଉଗ୍ରରୂପ ନେବ ବୋଲି ବିଜେପି ଚେତାବନୀ ଦେଇଛି ।

Spread the love