ଆପଣ ପିଉଥିବା ‘ନିମ୍ବୁଜ’ ଲେମ୍ବୁ ପାଣି ନା ଫଳ ରସ ? ସୁପ୍ରିମ କୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ବଜାରରେ ବିକ୍ରି ହେଉଥିବା ଥଣ୍ଡା ପାନୀୟ ନିମ୍ବୁଜ୍(Nimbooz)କୁ ଆପଣ କେବେ ପିଇଛନ୍ତି କି ? କହିଲେ ଦେଖି, ଏହା ଲେମ୍ବୁ ପାଣି ନା ଫଳ ରସ ? ଆପଣ ହୁଏତ ନିମ୍ବୁଜ୍ ପିଲାବେଳେ ଏକଥା ଭାବି ନଥିବେ। ହେଲେ ଏହି କଥା ଯାଇ ସୁପ୍ରିମ କୋର୍ଟରେ ପହଞ୍ଚିଛି। ନିମ୍ବୁଜ ଲେମ୍ବୁ ପାଣି କି ଫଳରସ ସେ ନିଷ୍ପତ୍ତି ଏବେ ସୁପ୍ରିମ କୋର୍ଟ ନେବେ। କୋର୍ଟ ରାୟ ଆସିବା ପରେ ଯାଇ ନିମ୍ବୁଜ ଉପରେ ଉତ୍ପାଦନ ଶୁଳ୍କ ଲଗାଯିବ।

କୋର୍ଟ ଏଭଳି ମାମଲାର ଶୁଣାଣି କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଉତ୍ପାଦ ଶୁଳ୍କ ବିଭାଗର ଅଭିଯୋଗକୁ ଖଣ୍ଡନ କରି ଆରାଧନା ଫୁଡ୍ସ ନାମକ ଏକ କମ୍ପାନୀ କୋର୍ଟରେ ଏକ ଆବେଦନ କରିଥିଲା। ବର୍ତ୍ତମାନ ଏହାର ବର୍ଗୀକରଣ କରିବା ଅପେକ୍ଷା ଏହାକୁ ଲେମ୍ବୁ ପାଣି କୁହାଯାଉ ବୋଲି କମ୍ପାନୀ କହିଥିଲା।

ଜିଏସ୍‌ଟିକୁ ନେଇ ସାମ୍ନାକୁ ଆସିଥିବା ଏହି ବିବାଦୀୟ ମାମଲା ଉପରେ ଜଷ୍ଟିସ୍‌ ଏମ୍‌ଆର ଶାହ ଓ ଜଷ୍ଟିସ୍‌ ବିଭି ନାଗରତ୍ନାଙ୍କର ଖଣ୍ଡପୀଠ ଶୁଣାଣି କରିବେ। ଏନେଇ ହାଇଦ୍ରାବାଦ ସେଣ୍ଟ୍ରାଲ ଏକ୍ସାଇଜ୍ ଆୟୋଗ ଆବେଦନ କରିବାରୁ ଆରାଧାନ ଫୁଡ୍ସ କମ୍ପାନୀକୁ ନୋଟିସ୍ କରି ଜବାବ ମାଗିଛନ୍ତି ସୁପ୍ରିମ କୋର୍ଟ। ଏପ୍ରିଲ ୨୭ ତାରିଖ ମଧ୍ୟରେ ମାମଲା ସମ୍ପର୍କିତ ଜବାବ ଦେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁସାରେ, ନିମ୍ବୁଜର ଉତ୍ପାଦନ ଶୁଳ୍କକୁ ନେଇ ସେଣ୍ଟ୍ରାଲ ଏକ୍ସାଇଜ୍ ଓ ଆରାଧନା ଫୁଡ୍ କମ୍ପନୀ ମଧ୍ୟରେ ବିବାଦ ଲାଗି ରହିଛି। ଉତ୍ପାଦନ ଶୁଳ୍କ ବିଭାଗର ଅଭିଯୋଗ ଅନୁସାରେ, ସେଣ୍ଟ୍ରାଲ ଏକ୍ସାଇଜ୍‌ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ହାଇଦ୍ରାବାଦ ବା CETH 2022ର ଅଧିନିୟମ ୯୦/୨୦ ଅନୁସାରେ ନିମ୍ବୁଜ୍‌କୁ ଫଳରସ କୁହାଯିବା ଦରକାର। ହେଲେ ଆରାଧନା ଫୁଡ୍ସ କମ୍ପାନୀ କହୁଛି ଏହା କେବଳ ଲେମ୍ବୁପାଣି। ତେଣୁ ଏହାକୁ  CETH 2022ର ଅଧିନିୟମ ୧୦/୨୦ ଅନୁସାରେ ସେଣ୍ଟ୍ରାଲ ଏକ୍ସାଇଜ୍ ଟାରିଫ ଆକ୍ଟ ୧୯୮୫ର ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଉ।

ସୂଚନା ଥାଉକି ଆମେରିକାନ କମ୍ପାନୀ ପେପ୍‌ସିକୋ ଦ୍ୱାରା ୨୦୧୩ରେ ନିମ୍ବୁଜକୁ ଲଞ୍ଚ କରାଯାଇଥିଲା। ସେବେଠାରୁ ଏହି ବିବାଦ ଲାଗି ରହିଛି। ଉତ୍ପଦାନ ଶୁଳ୍କ ବିଭାଗ ତା ଜିଦ୍‌ରେ ଅଟଳ ତିବା ବେଳେ କମ୍ପାନୀ ମଧ୍ୟ ତା ଜିଦ୍‌ରେ ଅଟଳ ରହିଛି।

Spread the love