ଇ-ନିଲାମୀ: ନୀରଜ ଚୋପ୍ରାଙ୍କ ଜାଭେଲିନ ଏକ କୋଟି ପାର
ନୂଆଦିଲ୍ଲୀ ୧୭।୦୯: ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତ ଦୁଇ ବର୍ଷରେ ମିଳିଥିବା ଉପହାର ଏବଂ ସ୍ମୃତି ଚିହ୍ନର ଇ-ନିଲାମୀ କରାଯାଉଛି। ଏଥିପାଇଁ ଶୁକ୍ରବାର ନିଲାମୀ ଡକରା ଆରମ୍ଭ ହୋଇ ଯାଇଛି। ଏହି ଇ-ନିଲାମୀରେ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସର ଖେଳାଳିଙ୍କ ଗ୍ଲୋବ୍ସ, ରାକେଟ୍ ଓ ଅନ୍ୟ ସାମଗ୍ରୀ ସାମିଲ୍ ଅଛି।
ସୂଚନା ଅନୁଯାୟୀ, ଖେଳାଳିଙ୍କ ଉପକରଣ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଇଛି। ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିଥିବା ଭବାନୀ ଦେବୀଙ୍କ ଖଣ୍ଡା, ପାରା ଅଲିମ୍ପିକ୍ସର ସ୍ଵର୍ଣ୍ଣ ପଦକ ବିଜେତା କୃଷ୍ଣା ନାଗର ଓ ରୌପ୍ୟ ପଦକ ବିଜେତା ସୁହାସ ଏଲଭାଇ ରାକେଟ୍ର ଡକରା ୧୦-୧୦ କୋଟି ପର୍ଯ୍ୟନ୍ତ ପହଞ୍ଚିଛି।
ଅନ୍ୟପଟେ ଟୋକିଓ ଅଲିମ୍ପିକ୍ସର ସ୍ଵର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ଜାଭେଲିନର ଡକରା ଏକ କୋଟି ୨୦ ଲକ୍ଷରେ ପହଞ୍ଚିଛି। ବକ୍ସର ଲଭଲିନାଙ୍କ ବକ୍ସିଂ ଗ୍ଲୋବ୍ସ ଏକ କୋଟି ୮୦ ଲକ୍ଷ ଅତିକ୍ରମ କରିଛି। ସୁମିତ ଆଣ୍ଟିଲଙ୍କ ଜାଭେଲିନଙ୍କ ଡକରା ଏକ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଛି।
ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଇ-ନିଲାମୀ ଅକ୍ଟୋବର ସାତ ପର୍ଯ୍ୟନ୍ତ ଚାଲିବ। ଏହି ନିଲାମରେ ୨୭୦୦ରୁ ଅଧିକ ସାମଗ୍ରୀ ସାମିଲ୍ ରହିଛି। ନିଲାମରୁ ମିଳିବାକୁ ଥିବା ଅର୍ଥରାଶିକୁ ନମାମୀ ଗଙ୍ଗେ ଅଭିଯାନରେ ଉପଯୋଗ କରାଯିବ। ୨୦୧୯ରେ ମଧ୍ୟ ଏହି ପରି ନିଲାମୀରେ ୨୭୭୦ ଉପକରଣକୁ ସାମିଲ୍ କରାଯାଇଥିଲା।
