ଦେଶର ଶ୍ରେଷ୍ଠ କଲେଜ-ବିଶ୍ବବିଦ୍ୟାଳୟର ରାଙ୍କିଙ୍ଗ୍ ଜାରି : ପୁଣି ଥରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ ୧୫ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମୱାର୍କ (NIRF) ଶୁକ୍ରବାର ଦିନ ଭାରତର ଶ୍ରେଷ୍ଠ କଲେଜ ଏବଂ ବିଶ୍ବବିଦ୍ୟାଳୟଗୁଡିକର ରାଙ୍କିଙ୍ଗ୍ ପ୍ରକାଶ କରିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନଆଇଆରଏଫ ଇଣ୍ଡିଆ ରାଙ୍କ ୨୦୨୨ ଘୋଷଣା କରିଛନ୍ତି । ରାଙ୍କିଙ୍ଗର ଘୋଷଣା ୧୦ଟି କାଟେଗୋରୀ,  ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ମହାବିଦ୍ୟାଳୟ, ମେଡିକାଲ, ଆଇନ, ସ୍ଥପତ୍ୟ, ଡେଣ୍ଟାଲ ଓ ଗବେଷଣା ଏବଂ ମୋଟାମୋଟି ଭାବେ ଏହି ରାଙ୍କିଙ୍ଗ୍ ଘୋଷଣା କରାଯାଇଛି । ସାମଗ୍ରିକ ବର୍ଗରେ ଚଳିତ ବର୍ଷ ପୁଣିଥରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ କଲେଜ ହୋଇପାରିଛି ।

ସେହିଭଳି ଆଇଆଇଏସସି ବେଙ୍ଗାଲୁରୁ ଦ୍ବିତୀୟ ଏବଂ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି । ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ବର୍ଗରେ ଆଇଆଇଏସସି ବେଙ୍ଗାଲୁରୁ ପ୍ରଥମ, ଜେଏନୟୁ ଦ୍ବିତୀୟ ଏବଂ ଜାମିଆ ମିଲିଆ ଇସଲାମିଆ ତୃତୀୟ ସ୍ଥାନରେ ରହିଛି । ଗତ ବର୍ଷ ତୃତୀୟ ସ୍ଥାନରେ ରହିଥିବା ବିଏଚୟୁ ଏଥର ଷଷ୍ଠ ସ୍ଥାନକୁ ଖସି ଆସିଛି। ଶ୍ରେଷ୍ଠ କଲେଜ ବର୍ଗରେ ଶ୍ରେଷ୍ଠ ୧୦ଟି କଲେଜ ମଧ୍ୟରୁ ୫ଟି ଦିଲ୍ଲୀ ବିଶ୍ବବିଦ୍ୟାଳୟର ।  ମିରାଣ୍ଡା ହାଉସ୍ ପୁଣି ଥରେ ଦେଶର ସର୍ବୋତ୍ତମ କଲେଜ ହୋଇଛି।  ଏହା ପରେ ଦ୍ବିତୀୟ ସ୍ଥାନରେ ହିନ୍ଦୁ କଲେଜ ଏବଂ ତୃତୀୟ ସ୍ଥାନରେ ପ୍ରେସିଡେନ୍ସି କଲେଜ ରହିଛି।

ଶ୍ରେଷ୍ଠ ୧୦ଟି କଲେଜର ତାଲିକାରେ ପ୍ରଥମରେ ମିରାଣ୍ଡା ହାଉସ୍, ଦ୍ବିତୀୟରେ ହିନ୍ଦୁ ମହାବିଦ୍ୟାଳୟ, ତୃତୀୟରେ ଚେନ୍ନାଇର ପ୍ରେସିଡେନ୍ସି କଲେଜ, ଚତୁର୍ଥରେ ଚେନ୍ନାଇର ଲୋୟାଲା କଲେଜ, ପଞ୍ଚମରେ ଏଲଏସଆର, ଷଷ୍ଠରେ କୋଏମ୍ବାଟୁରରେ ପିଏସଜିଆର କୃଷ୍ଣମଲ କଲେଜ ଫର୍ ଓ୍ବିମେନ୍, ସପ୍ତମରେ ଅତ୍ମାରାମ ସନାତନ ଧର୍ମ ମହାବିଦ୍ୟାଳୟ, ଅଷ୍ଟମରେ କୋଲକତାର ସେଣ୍ଟ ଜାଭିୟର କଲେଜ, ନବମରେ ହାଓ୍ବଡାର ରାମକୃଷ୍ଣ ମିଶନ୍ ଏବଂ ଦଶମରେ ନୂଆଦିଲ୍ଲୀ କିରୋଡିମଲ୍ କଲେଜ ରହିଛି ।

NIRF ରାଙ୍କିଙ୍ଗର ଏହା ସପ୍ତମ ସଂସ୍କରଣ । NIRF ରାଙ୍କିଙ୍ଗ ଅନୁଷ୍ଠାନକୁ ଟିଚିଂ ଲର୍ଣ୍ଣିଂ ଏବଂ ରିସୋର୍ସେସ, ରିସର୍ଚ୍ଚ ଆଣ୍ଡ ପ୍ରଫେସନାଲ ପ୍ରାକ୍ଟିସ, ସ୍ନାତକୋତ୍ତର ଫଳାଫଳ, ଆଉଟରିଚ୍ ଏବଂ ଅନ୍ତର୍ଭୂକ୍ତତା, ଧାରଣା ଆଧାରରେ ଦିଆଯାଇଛି ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ପ୍ରତିବର୍ଷ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (NIRF) ରାଙ୍କିଙ୍ଗ ଜାରି କରାଯାଇଥାଏ । ଦେଶର ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଏବଂ ଫାର୍ମାସୀ ସଂସ୍ଥାର ରାଙ୍କିଙ୍ଗ୍ ପାଇଁ NIRF ସୃଷ୍ଟି କରାଯାଇଛି । ଏହା ପୂର୍ବରୁ ରାଙ୍କିଙ୍ଗ୍ ପାଇଁ କୌଣସି ସରକାରୀ ସଂସ୍ଥା ନଥିଲା ।  ବେସରକାରୀ ସଂସ୍ଥା ରାଙ୍କିଙ୍ଗ୍ ଜାରି କରିଥାନ୍ତି । ଯାହାକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିଥିଲା ​​। କିନ୍ତୁ ବର୍ତ୍ତମାନ ବିଭିନ୍ନ ମାନକ ଆଧାରରେ ସରକାରଙ୍କ ପକ୍ଷରୁ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡିକୁ ରାଙ୍କିଙ୍ଗ୍ ଦିଆଯାଇଥାଏ ।

Spread the love