ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ : ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ ; ଓଡ଼ିଶାରେ ୧ ନମ୍ବର

ଭୁବନେଶ୍ୱର, ୧୧/୦୬: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ଘୋଷଣା ହୋଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ-୨୦୨୦ ରେ ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ହାସଲ କରିଛି ସୋଆ । ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ ୧ ନମ୍ବର ସ୍ଥାନ ବଜାୟ ରଖିଛି ସୋଆ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ବିଶ୍ୱବିଦ୍ୟାଳୟ ଏହି ନୂତନ ତାଲିକାରେ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ସାମଗ୍ରିକ ଭାବେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଦେଶରେ ୩୮ ତମ ସ୍ଥାନ ହାସଲ କରିଛି।

 

ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ତାଳିକା ଘୋଷଣା କରିଛନ୍ତି ଡ. ପୋଖରିଆଲ। ୟୁନିଭର୍ସିଟି ଗ୍ରାଂଟସ୍ କମିଶନ ଦ୍ୱାରା ୨୦୧୭ ରେ ଡିମଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ପାଇଥିବା ସୋଆ କ୍ରମାଗତ ଭାବେ ୫ମ ଥର ପାଇଁ ଓଡ଼ିଶାରେ ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଚଳିତ ବର୍ଷ ୫୩.୧୦ ସ୍କୋର ହାସଲ କରି ଏହି ସ୍ଥାନରେ ରହିଛି। ୨୦୧୬ ରେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଆରମ୍ଭ କରାଯାଇଥିବାବେଳେ ତୃତୀୟ ଥର ପାଇଁ ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ସୋଆ। ସେହିପରି ଇଞ୍ଜିନିୟରିଂ କ୍ୟାଟେଗୋରିରେ ଦେଶରେ ସୋଆ ୩୪ ତମ ସ୍ଥାନରେ ରହିଥିବାବେଳେ ମେଡିକାଲ୍ କଲେଜ କ୍ୟାଟେଗୋରିରେ ୨୩ତମ ସ୍ଥାନ ହାସଲ କରିଛି । ସୋଆ ପରିଚାଳିତ ଡେଂଟାଲ ସାଇନସ୍ କଲେଜ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗରେ ପ୍ରବେଶ କରି ଦେଶରେ ୧୨ତମ ସ୍ଥାନ ହାସଲ କରିଛି ।

୨୦୨୦ ର‌୍ୟାଙ୍କିଙ୍ଗ ଅନୁସାରେ ଓଡ଼ିଶାରେ ସୋଆର ମେଡିକାଲ ସାଇନସେସ ଏବଂ ଡେଂଟାଲ ସାଇନସେସ ଶିକ୍ଷାନୁଷ୍ଠାନ ୧ ନମ୍ବର ସ୍ଥାନରେ ରହିଛନ୍ତି । ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ସୋଆର ଫାକଲ୍‌ଟି ଅଫ
ଇଞ୍ଜିନିୟରିଂ ଆଣ୍ଡ ଟେକନଲଜି ହୋଇଥିବାବେଳେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍‌ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ୍ ଅଫ ଡେଂଟାଲ୍ ସାଇନସେସ୍ (ଆଇଡିଏସ) ଏହାର ମେଡିକାଲ ଏବଂ ଡେଂଟାଲ୍ ସାଇନସ ଶିକ୍ଷାନୁଷ୍ଠାନ । ଏହି ଅବସରରେ ଖୁସି ବ୍ୟକ୍ତ କରି ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି ଯେ ଏହି ସଫଳତା ହେଉଛି ସମସ୍ତ ଫାକଲ୍ଟି, ଗବେଷକ ଏବଂ ଦାୟିତ୍ୱ ତୁଲାଉଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କର ।

“ମୁଁ ଆଶା କରୁଛି ସୋଆ ଏହି ସଫଳତାର ସିଡ଼ିରେ ଆଗାମୀ ବର୍ଷ ମଧ୍ୟ ଆହୁରି ଉପରକୁ ଉଠିବ”। “ଏନଆଇଆରଏଫ ର‌୍ୟାଙ୍କିଙ୍ଗରେ ଏହି ସଫଳତା ନିଶ୍ଚିତ ଭାବରେ ସୋଆର ସମସ୍ତ କର୍ମଚାରୀଙ୍କୁ ଭବିଷ୍ୟତରେ ଅଧିକ ଉନ୍ନତି ପାଇଁ ପ୍ରୋତ୍ସାହନ ଦେବ । ଏହି ସଫଳତା ନିମନ୍ତେ ମୁଁ ସୋଆ ପରିବାରର ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି” ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ।

ସୋଆ ଅଧିନରେ ୯ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜି, ମେଡିକାଲ୍ ସାଇନସେସ୍‌, ଡେଂଟାଲ ସାଇନସେସ, ମ୍ୟାନେଜମେଂଟ ସାଇନସେସ, ହସପିଟାଲ୍ ଆଡମିନିଷ୍ଟ୍ରେସନ, ଫାର୍ମାସ୍ୟୁଟିକାଲ ସାଇନସେସ, ବାୟୋଟେକ୍ନୋଲଜି, ନର୍ସିଂ, ହସପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲିଗାଲ ଷ୍ଟଡିଜ ଏବଂ ଏଗ୍ରିକଲଚରାଲ ସାଇନସେସରେ ୯୫ଟି ଏକାଡେମିକ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ୬ଟି ଦେଶର ଛାତ୍ରଛାତ୍ରୀ ସମେତ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ସୋଆ ଡିମଡ୍ ଟୁ ବି ୟୁନିଭର୍ସିଟିରେ ଶିକ୍ଷା ଗ୍ରହଣ କରୁଛନ୍ତି ।

Spread the love