ନିର୍ମଳା-ଶକ୍ତିକାନ୍ତ ମତଭେଦ: ଆଇଏମ୍‌ଏଫ୍‌ ପାଣ୍ଠିକୁ ଗୋଟିଏ ବୈଠକରେ ନିର୍ମଳାଙ୍କ ବିରୋଧ, ଶକ୍ତିକାନ୍ତଙ୍କ ସମର୍ଥନ

 

ଆ‌ଇଏମ୍ଏଫ୍‌ ପକ୍ଷରୁ ସ୍ପେସିଆଲ ଡ୍ରଇଙ୍ଗ୍‌ ରାଇଟସ୍‌ (ଏସ୍‌ଡିଆର୍‌) ଜରିଆରେ ୫୦,୦୦୦ କୋଟି ଡଲାର ବିଭିନ୍ନ ଦେଶକୁ ଜାରି କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଏସ୍‌ଡିଆର୍‌ ହେଉଛି ବିଭିନ୍ନ ପ୍ରକାର ଶକ୍ତିଶାଳୀ ମୁଦ୍ରା ଯଥା ଡଲାର, ୟୁରୋ, ୟେନ୍ ଏବଂ ୟୁଆନ୍‌କୁ ନେଇ ଗଠନ କରାଯାଇଥିବା ଏକ ଭଣ୍ଡାର। ଏହି ଭଣ୍ଡାରରେ ଥିବା କିଛି ପାଣ୍ଠିକୁ ଆଇଏମ୍ଏଫ୍‌ ବିଭିନ୍ନ ସଦସ୍ୟ ଦେଶକୁ ଦେବାକୁ ଚାହୁଛି। ଆଇଏମ୍ଏଫ୍‌ର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କ କୋଟା ହିସାବରେ ଏହି ପାଣ୍ଠିର ଭାଗ ମିଳିଥାଏ। ବର୍ତ୍ତମାନ ଏସ୍‌ଡିଆର୍‌ରେ ଭାରତର ୧୪୦ କୋଟି ଡଲାର ରହିଛି। କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ବରେ ଡଲାର ଦାମ୍ ବହୁତ ବଢ଼ିଯାଇଥିବା ବେଳେ ଅନ୍ୟ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ହୋଇପଡ଼ିଛି। ବିନିମୟ ମୁଦ୍ରାକୁ ନେଇ ଯେଉଁ ସଙ୍କଟ ଦେଖାଦେଇଛି ତାହାକୁ ଦୂର କରିବା ଲାଗି ଆଇଏମ୍ଏଫ୍ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଏସ୍‌ଡିଆର ଜାରି କରି ବିଦେଶୀ ମୁଦ୍ରା ଦେବାକୁ ଚାହୁଛି। ବର୍ତ୍ତମାନ ପରିସ୍ଥିତିରେ ସେହି ପାଣ୍ଠି ଆଣିବା ଲାଗି ନିର୍ମଳା ଚାହୁନାହାନ୍ତି। ତାଙ୍କ ମତ ହେଉଛି ବିନିମୟ ମୁଦ୍ରା ବଜାରରେ ଦେଖାଦେଇଥିବା ଅସ୍ଥିରତା ଦୂର କରିବା ଲାଗି ପ୍ରଥମେ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ଭଣ୍ଡାରର ବିଦେଶୀ ମୁଦ୍ରା ବ୍ୟବହାର କରାଯିବା ଉଚିତ। ନୂଆ ଏସ୍‌ଡିଆର୍‌ ପ୍ରସ୍ତାବକୁ ସେ ବିରୋଧ କରିଥିଲେ। ଅବଶ୍ୟ ଆମେରିକାର ବିରୋଧ ପରେ ଆଇଏମ୍‌ଏଫ୍‌ର ଏହି ଯୋଜନା ବନ୍ଦ ହୋଇଯାଇଛି। ଆମେରିକା ପାଖରେ ୧୬.୫୨ ପ୍ରତିଶତର ସର୍ବୋଚ୍ଚ ଭୋଟିଂ କ୍ଷମତା ରହିଛି। ତାହାକୁ ବ୍ୟବହାର କରି ଆଇଏମ୍ଏଫ୍‌ର ଏହି ଯୋଜନାକୁ ଆମେରିକା ଅଟକାଇ ଦେଇଛି। ମାତ୍ର ଭାରତର ଭୋଟିଂ ଅଧିକାର ହେଉଛି ମାତ୍ର ୨.୬ ପ୍ରତିଶତ। ଆଇଏମ୍‌ଏଫ୍‌ର ଯେକୌଣସି ନିଷ୍ପତ୍ତି ଲାଗି ୮୫ ପ୍ରତିଶତ ଭୋଟ୍ ଦରକାର। ଭାରତର ଭୋଟ୍ ଏତେ ଗୁରୁତ୍ବ ରଖୁନାହିଁ। ତଥାପି ଏହା ଆମେରିକାର ପ୍ରସ୍ତାବକୁ ସମର୍ଥନ କରିବା ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଚକିତ କରିଥିଲା।ଆଶ୍ଚର୍ଯ୍ୟ ବିଷୟ ହେଉଛି ସେହି ସମାନ ବୈଠକରେ ଏସ୍‌ଡିଆର୍‌ ସପକ୍ଷରେ ଶକ୍ତିକାନ୍ତଙ୍କ ଯୁକ୍ତି ଉପସ୍ଥାପନ କରିବା। ସେ କହିଥିଲେ ଏସ୍‌ଡିଆର୍‌ ଆବଣ୍ଟନ ସମ୍ପର୍କରେ ଆଇଏମ୍ଏଫ୍ ବିଚାର କରିବା ଉଚିତ। ଏହା ସ୍ବଳ୍ପ ମିଆଦୀ ନଗଦ ବିନିମୟ ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରିପାରିବ ବୋଲି ଶକ୍ତିକାନ୍ତ କହିଥିଲେ। ବିଶ୍ବ ଆର୍ଥିକ ବ୍ୟବସ୍ଥାର ସ୍ଥିରତା ଲାଗି ମିଳିତ ଉଦ୍ୟମ କରିବା ଏବଂ କୋଟାର ସମୀକ୍ଷା ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ।

 

Spread the love