କେନ୍ଦ୍ର ବଜେଟ ୨୦୨୨-୨୩, ଜାଣନ୍ତୁ ନିର୍ମଳା ସୀତାରମଣଙ୍କ ୧ ଟଙ୍କାର ଆୟ ଓ ବ୍ୟୟର ହିସାବ

ନୂଆଦିଲ୍ଲୀ ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିଛନ୍ତି। ସଂସଦରେ ଏହା ତାଙ୍କର ଚତୁର୍ଥ ବଜେଟ୍ ହୋଇଥିବା ବେଳେ କରୋନା କାଳରେ ଦ୍ୱିତୀୟ ବଜେଟ୍। ସୀତାରମଣ ପୂର୍ବାହ୍ନରେ ବଜେଟ୍ ଉପସ୍ଥାପନ କରିଥିଲେ। ଦୀର୍ଘ ଦେଢ ଘଣ୍ଟାର ଅଭିଭାଷଣରେ ଲୋକଙ୍କ ଆଶା ଓ ଆକାଙକ୍ଷା ପୂରଣରେ ବଜେଟ ସହାୟକ ହୋଇପାରିବ ବୋଲି ସେ ଆଶାପୋଷଣ କରିଛନ୍ତି। ପରେ ରାଜ୍ୟସଭାରେ ବଜେଟ୍ ଉପସ୍ଥାପନ କରିବା ସହ ସୀତାରମଣ ୧ ଟଙ୍କାର ଆୟ ଓ ବ୍ୟୟର ବିବରଣୀ ପ୍ରଦାନ କରିଛନ୍ତି। ଜାଣନ୍ତୁ ଏଥର ସରକାରଙ୍କ ପ୍ରାଥମିକତା କ’ଣ?

୧ ଟଙ୍କାର ଆୟ
ଦେଶ ଉପରେ କରୋନା ଭାଇରସ ମହାମାରୀର ପ୍ରକୋପ ଲଗାତାର ଦ୍ୱିତୀୟ ବର୍ଷ ମଧ୍ୟ ଜାରି ରହିଛି। ଦେଶ ଏବେ ତୃତୀୟ ଲହର ଦେଇ ଗତି କରୁଥିବା ବେଳେ ନିର୍ମଳା ସୀତାରମଣ ୨୦୨୨-୨୩ ବର୍ଷ ନିମନ୍ତେ ସଂସଦରେ ୩୯.୪୫ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏହି ଲକ୍ଷ ହାସଲ ନିମନ୍ତେ ଋଣ ଓ ନେଣଦେଣ ଉପରେ ସୀତାରମଣଙ୍କ ବଜେଟରେ ସର୍ବାଧିକ ଗୁରୁତ୍ୱ  ଦିଆଯାଇଥିବା ବେଳେ  ସେବା ଓ ସାମଗ୍ରୀକର (ଜିଏସଟି), ଆୟକର ଓ କର୍ପୋରେଟ ଟ୍ୟାକ୍ସ ଉପରେ ସରକାର ବିଶେଷ ଭରଶା କରିଛନ୍ତି।  ସେହିପରି ବଜେଟ୍ ବ୍ୟୟରେ ଋଣ ବାବଦ ସୁଧ ବାବଦେ ସର୍ବାଧିକ ବ୍ୟୟ ବରାଦ କରିଛନ୍ତି।

ରାଜକୋଷକୁ କେମିତି ଆସିବ ୧ ଟଙ୍କା
ବଜେଟ ବରାଦ ମୁତାବକ ଉଧାର ଏବଂ ଅନ୍ୟ ଉପାୟରେ ୩୫ ପଇସାର ବ୍ୟବସ୍ଥା କରାଯାଇଥିବା ବେଳେ କର୍ପୋରେଟ ଶୁଳ୍କରୁ ୧୫, ଆୟକରରୁ ୧୫, ସୀମା ଶୁଳ୍କ (କଷ୍ଟମ) ବାବଦେ ୫, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବାବଦେ ୭, ସାମଗ୍ରୀ ଓ ସେବା କର (ଜିଏସଟି) ୧୬, ଅଣ ଶୁଳ୍କ ରାଜସ୍ୱ ବାବଦେ ୫,ଅଣ ଋଣ ପୁଞ୍ଜି ବାବଦେ ୨ ପଇସା ଏହିପରି ଟଙ୍କାକର ଆୟର ନିର୍ଦ୍ଧାରଣ ହୋଇଛି।

ଜାଣନ୍ତୁ୧ ଟଙ୍କାର ବ୍ୟୟ ହିସାବ
୧ ଟଙ୍କାର କେନ୍ଦ୍ରୀୟ ବଜେଟରେ ସିଂହ ଭାଗ ଋଣ ବାବଦ ସୁଧ ଓ ରାଜ୍ୟମାନଙ୍କ ଅଂଶ ବାବଦେ ବ୍ୟୟ ହେଉଥିବା ବେଳେ କେନ୍ଦ୍ରୀୟ ଯୋଜନା ଓ ଅର୍ଥଆୟୋଗ ଓ ଅନ୍ୟ ଅନ୍ତରଣ ଲାଗି ମଧ୍ୟ ବଡ଼ ବ୍ୟୟ ଆକଳନ କରାଯାଇଛି। ଏଥର ବଜେଟ୍‌ରେ ପ୍ରତିରକ୍ଷାକୁ ବେଶ ଗୁରୁତ୍ୱ ଦିଆଯାଇଥିବା ବେଳେ ଏ ବାବଦେ ମୋଟା ବ୍ୟୟ ବରାଦ ମଧ୍ୟ ରହିଛି। ଏହା ବାଦେ କେନ୍ଦ୍ର ପ୍ରାୟୋଜିତ ଯୋଜନା, ବିଭିନ୍ନ ଆର୍ଥିକ ସହାୟତା ନିମନ୍ତେ ମଧ୍ୟ ବଜେଟ୍‌ରେ ବ୍ୟବସ୍ଥା ରହିଛି।

୧ ଟଙ୍କାର ମୋଟ ବ୍ୟୟ
ରାଜକୋଷକୁ ଆସୁଥିବା ପ୍ରତି ୧ ଟଙ୍କାରୁ ୮ ପଇସା ପ୍ରତିରକ୍ଷା ବାବଦକୁ ବ୍ୟୟ ଧାର୍ଯ୍ୟ ହୋଇଥିବାବେଳେ ଋଣର ସୁଧ ବାବଦକୁ ୨୦ ପଇସା, ରାଜ୍ୟ ଭାଗ ବାବଦେ ୧୬ ପଇସା, କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଯୋଜନା ଲାଗି ୧୪ ପଇସା, ଅର୍ଥ ଆୟୋଗ ଓ ଅନ୍ୟ ଖର୍ଚକୁ ୧୦ ପଇସା, କେନ୍ଦ୍ର ପ୍ରାୟୋଜିତ ଯୋଜନା ଲାଗି ୯ ପଇସା, ବିଭିନ୍ନ ସବସିଡି ଲାଗି ୮ ପଇସା, ପେନସନ ବାବଦକୁ ୫ ପଇସା , ଅନ୍ୟ ବ୍ୟୟ ବାବଦକୁ ୧୦ ପଇସା ଏହି ପରି ୧ ଟଙ୍କାର ଖର୍ଚ୍ଚ ହିସାବ ଦେଇଛନ୍ତି ନିର୍ମଳା ସୀତାରମଣ।

Spread the love