ନିର୍ଭୟା ଦି ଦୁଷ୍କର୍ମକାରୀଙ୍କୁ 22ରେ ଫାଶୀ

ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ନିର୍ଭୟା କାଣ୍ଡର ଦୋଷୀଙ୍କୁ ଆସନ୍ତା  22 ରେ ଫାଶୀ ଦିଆଯିବ। ସକାଳ 7ଟା ବେଳେ ଫାଶୀ କାର୍ଯ୍ୟକାରୀ ହେବ। ଦିଲ୍ଲୀର ଏକ କୋର୍ଟ ଏହି ଡେଥ୍‌ ୱାରେଣ୍ଟ ରାୟ ଦେଇଛନ୍ତି। 2012 ମସିହାରେ ସଂଘଟିତ ଏହି ଜଘନ୍ୟ କାଣ୍ଡରେ ଫାଶୀ ଦିଆଯିବାକୁ ଥିବା 4 ଜଣ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସିଂହ ଠାକୁର, ମୁକେଶ, ପୱନ ଗୁପ୍ତା ଏବଂ ବିନୟ ଶର୍ମା। ସେମାନେ ଦିଲ୍ଲୀରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ନାନା ପ୍ରକାର ଅତ୍ୟାଚାର କରି ହତ୍ୟା କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2012 ମସିହା ଡିସେମ୍ବର 16 ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା। 6 ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର 29ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ।

ଏହି ଘଟଣାରେ ଗିରଫ ହୋଇଥିବା 6 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା। ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। 2013, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି 4 ଅଭିଯୁକ୍ତ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ଦୋଷୀ ଘୋଷଣା କରିବା ସହ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଥିଲେ।

5ମେମେ, 2017ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ସେହିବର୍ଷ ନଭେମ୍ବର 13ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ପାଇଁ ଆବେଦନ କରିଥିଲେ ଏବଂ ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ।

Spread the love