ଆସିଲା ନୂଆ ତାରିଖ, 20ରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ପୁଣି ଥରେ ଘୋଷଣା ହେଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା 4 ଦୋଷୀଙ୍କ ନୂତନ ଫାଶୀ ତାରିଖ । ମାର୍ଚ୍ଚ 20 ସକାଳ 5ଟା 30 ମିନିଟ ସମୟରେ 4 ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନିର୍ଦ୍ଦେଶ  ଦେଇଛନ୍ତି ପଟିଆଲା ହାଉସ କୋର୍ଟ । ଦୋଷୀମାନଙ୍କ ସମସ୍ତ ଆଇନଗତ ପକ୍ରିୟା ଶେଷ ହୋଇଯାଇଥିବାରୁ ଏହି ଫାଶୀ ତାରିଖ ସେମାନଙ୍କ ପାଇଁ ଶେଷ ପାଶୀ ତାରିଖ ହେବ ବୋଲି ଆଶା କରାଯାଉଛି । ହେଲେ ଫାଶୀ ତାରିଖ ଘୋଷଣା ହେବା ପରେ ଦୋଷୀମାନଙ୍କ ଓକିଲ ଏ.ପି ସିଂହ ପୁଣି ଥରେ ଦୋଷୀ ମାନଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଯୁକ୍ତି ବାଢିଛନ୍ତି । କୋର୍ଟଙ୍କ ପକ୍ଷରୁ ରାୟ ଆସିବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି କି ଆମ ପାଖରେ ଆହୁରି ଅନେକ ଆଇନଗତ ସୁବିଧା ରହିଛି ଆମେ ଟିକ ସମୟରେ ତାହାକୁ ବ୍ୟବହାର କରିବୁ ।

ସୂଚନାଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନର ରାଜକ୍ଷମା ଆବେଦନ ଗତକାଲି ରାଷ୍ଟ୍ରପତି  ଖାରଜ କରିବା ପରେ ଶେଷ ହୋଇଯାଇଥିଲା  ଅଭିଯୁକ୍ତମାନଙ୍କ ସମସ୍ତ ବଞ୍ଚିବା ରାସ୍ତା । ଏବେ 4 ଅଭିଯୁକ୍ତଙ୍କ ପୁଣିଥରେ ଫାଶୀ ଦେବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଗତକାଲି କୋର୍ଟରେ ନୂତନ ଡେଥ ୱାରେଣ୍ଟ ଜାରି କରିବା ପାଇଁ କୋର୍ଟଙ୍କୁ ଆବେଦନ କରିଥିଲେ । କୋର୍ଟ ଏହାକୁ ଗ୍ରହଣ କରି ୪ ଦୋଷୀଙ୍କୁ ନୋଟିସ କରିଥିଲେ । ଆଜି ଦିନ 2 ଟାରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଷ୍ଟ୍ରପତି ନିର୍ଭୟା ଦୋଷୀ ଅକ୍ଷୟ, ମୁକେଶ ଓ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ତେଣୁ ଏମାନଙ୍କ ପାଖରେ ଫାଶୀରୁ ବର୍ତ୍ତିବା ପାଇଁ କୌଣସି ଆଇନଗତ ଉପାୟ ନଥିଲା । ପବନ କୌଣସି ପ୍ରକାରର କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରି ନଥିବାରୁ ପଟିଆଲା ହାଉସ କୋର୍ଟ ମାର୍ଚ୍ଚ ୩ରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ। ହେଲେ ଫେବୃଆରୀ 29ରେ ପବନ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ଏହା ଖାରଜ ହେବା ପରେ 2 ତାରିଖରେ ରାଜକ୍ଷମା ଆବେଦନ କରିଥିଲା । ଏଥିପାଇଁ ସୋମବାର ଦିନ ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇ ଦେଇଥିଲେ। ଗତକାଲି ରାଜକ୍ଷମା ଆବେଦନ ଖାରଜ ହୋଇଯିବାରୁ ନୂଆ ଫାଶୀ ତାରିଖ ପାଇଁ ତିହାର କର୍ତ୍ତୃପକ୍ଷ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ସେହିପରି ଜେଲ ମ୍ୟାନୁଆଲ ଅନୁଯାୟୀ, ରାଷ୍ଟ୍ରପତି ଜଣେ ଦୋଷୀର ରାଜକ୍ଷମା ଆବେଦନ ଖାରଜ କଲେ ତା’କୁ 14 ଦିନର ସମୟ ଦିଆଯାଇ ଥାଏ। ତେଣୁ ପଟିଆଲା ହାଉସ କୋର୍ଟ କେବେ ଡେଥ ୱାରେଣ୍ଟ ଜାରି କରିବେ, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା ।

Spread the love