୫୦ତମ ଜନ୍ମଦିନ ପାର୍ଟିରେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ତଥା ସାମାଜିକକର୍ମୀ ନୀତା ଅମ୍ବାନୀଙ୍କ ୫୦ତମ ଜନ୍ମଦିନ  ଅବସରରେ ଆୟୋଜିତ ପାର୍ଟିରେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ୨୦୧୩, ନଭେମ୍ବର ୧ ତାରିଖରେ ୫୦ ବର୍ଷରେ ପଦାର୍ପଣ କରିବା ସମୟରେ ରାଜସ୍ଥାନର ଉମୈଦ୍‌ ଭବନ ପ୍ରାସାଦରେ ନୀତା ଅମ୍ବାନୀ ତାଙ୍କ ଜନ୍ମଦିନ ପାଳନ ପାଇଁ ୨ଦିନିଆ ପାର୍ଟି ଆୟୋଜନ କରିଥିଲେ। ଜନ୍ମଦିନ ପାର୍ଟିକୁ ସମଗ୍ର ବିଶ୍ବରୁ ୨୪୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌, ଅମିର୍‌ ଖାନ୍‌, ରାଣୀ ମୁଖାର୍ଜୀ, କରିସ୍ମା କପୁର ଏବଂ ମିତ୍ତଲ୍‌, ମହିନ୍ଦ୍ରା, ବିର୍ଲା, ଗୋଦ୍‌ରେଜ୍‌ ଆଦି ଖ୍ୟାତନାମା ବ୍ୟାବସାୟିକ ପରିବାରର ସଦସ୍ୟମାନେ।

ସଂଗୃହୀତ ରିପୋର୍ଟ ଅନୁସାରେ, ଉତ୍ସବ ପାଳନସ୍ଥଳୀ, ୩୨ଟି ଚାର୍ଟର୍ଡ ବିମାନ ଭଡ଼ା ସହ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥା, ସାଜସଜା, ସେଲିବ୍ରିଟିମାନଙ୍କ ପ୍ରଦର୍ଶନ, ଆତସବାଜି ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ସମୁଦାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଅମ୍ବାନୀ ପରିବାର। ନୀତାଙ୍କ ଜନ୍ମଦିନ ପାର୍ଟିରେ ସଙ୍ଗୀତକାର ଏ. ଆର୍‌. ରହମନ୍‌ ଓ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ କରିଥିଲେ। ଅମ୍ବାନୀଙ୍କ ଝିଅ ଈଶା ବି ଏହି ପରିବେଶରେ ଭାଗ ନେଇଥିଲେ। ସମଗ୍ର ପ୍ରାସାଦକୁ ଆଲୋକରେ ଉଦ୍‌ଭାସିତ କରିବା ପାଇଁ ବିଶେଷ ‘ଲାଇଟ୍‌ ସୋ’ର ବ୍ୟବସ୍ଥା କରାଯାଇଥିଲା। ଧନତେରସ୍‌ ପୂଜାରୁ ନୀତାଙ୍କ ଜନ୍ମଦିନ ପାର୍ଟି ଆରମ୍ଭ ହୋଇଥିଲା। ଆଖି ଝଲସା ଆଲୁଅରେ ନୀତାଙ୍କ ନାଆଁ ଲେଖି ହୋଇଯାଉଥିବା ବେଳେ ବିଶେଷ ଆଲୋକ ପକାଯାଇ ଆକାଶରେ ଧୀରୁଭାଇ ଅମ୍ବାନୀଙ୍କୁ ମୁହଁ ପ୍ରଦର୍ଶନ କରାଯାଇଥିଲା। ଏଥିପାଇଁ ସିଙ୍ଗାପୁରରୁ ଆସିଥିଲେ ସ୍ବତନ୍ତ୍ର ଟିମ୍‌। ପ୍ରାସାଦ ସାଜସଜ୍ଜା ପାଇଁ ଫୁଲ ଆସିଥିଲା ଥାଇଲାଣ୍ଡ୍‌ରୁ।

Spread the love