ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ
ଭୁବନେଶ୍ୱର : ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କୁମାର ବେରୀ ଏବଂ ସଦସ୍ୟ ଡକ୍ଟର ବିନୋଦ କେ. ପାଉଲଙ୍କ ସହ ଅନ୍ୟ ସରକାରୀ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି ଏବଂ ଓଡ଼ିଶା ସରକାରଙ୍କୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ଏହାଛଡ଼ା ଭୁବନେଶ୍ବର ସ୍ଥିତ ଓଡ଼ିଶା କ୍ରାଫଟ୍ ମ୍ୟୁଜିୟମ୍ ‘କଳାଭୂମି’ ପରିଦର୍ଶନ କରିଥିଲେ । ତେବେ ଏହି ଗସ୍ତ ଅବସରରେ ଫାଇଭ୍-‘ଟି’ରେ ରୂପାନ୍ତରିତ ହୋଇଥିବା ଉଚ୍ଚବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପିପିଲିଠାରେ ଥିବା ୱେଲନେସ୍ କେନ୍ଦ୍ର ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ନିରୀକ୍ଷଣ କରିଥିଲେ । ଏହାପରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଲୋକସେବା ଭବନରେ ଆଲୋଚନା କରିଥିଲେ । ସେହିପରି ନୀତି ଆୟୋଗର ଉପାଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଦିଲ୍ଲୀଠାରେ ଆସନ୍ତା ଅଗଷ୍ଟ ୭ ରେ ହେବାକୁ ଥିବା ‘ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ।