ଲାଲୁଙ୍କ କୋଳରେ ବସି ପ୍ରଧାନମନ୍ତ୍ରୀ ହେବା ଲୋଭରେ ନୀତୀଶ ଆମକୁ ଧୋକା ଦେଲେ: ଅମିତ ଶାହ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନୀତୀଶ ପ୍ରଧାନମନ୍ତ୍ରୀ ହେବା ଲକ୍ଷ୍ୟରେ ବିଜେପିକୁ ଧୋକା ଦେଇ ଲାଲୁଙ୍କ କୋଳରେ ବସିଛନ୍ତି ବୋଲି ଶାହ କହିଛନ୍ତି। ଦୁଇଦିନିଆ ବିହାର ଗସ୍ତରେ ଆସିଥିବା ଅମିତ ଶାହ ଏକ ରାଲିରେ ଯୋଗ ଦେଇ ନୀତୀଶଙ୍କୁ ଏପରି ଟାର୍ଗେଟ୍‌ କରିଛନ୍ତି।

ଶାହ କହିଛନ୍ତି “ଲାଲୁ ପ୍ରସାଦ ଯାଦବଙ୍କ କୋଳରେ ବସିବା ପାଇଁ ନୀତୀଶ ଆମକୁ ଧୋକା ଦେଇଛନ୍ତି। ସିମାଞ୍ଚଳ(ବିହାର) ନୀତୀଶ କୁମାରକୁ ଉଚିତ ଜବାବ ଦେବ। ରାଜନୈତିକ ଦଳ ବଦଳାଇ ନୀତୀଶ କୁମାର କଣ ପ୍ରଧାନମନ୍ତ୍ରୀ ହୋଇପାରିବେ ?”

ଶାହ ଆହୁରି ମଧ୍ୟ କହିଛନ୍ତି ଯେ “ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବୋଲି ବିଜେପି ନିଜର ବଡ଼ପଣ ଦେଖାଇଲା। ହେଲେ ଯେତେବେଳେ ଲୋକସଭା ନିର୍ବାଚନ ପାଖେଇ ଆସିଲା, ସେତେବେଳେ ପ୍ରଧାନମନ୍ତ୍ରୀ ହେବା ଲୋଭରେ ତୁମେ ଆମକୁ ଧୋକା ଦେଲ। ବିହାରର ଲୋକମାନେ ତୁମକୁ ଜାଣିଛନ୍ତି। ସେମାନେ ତୁମକୁ ସନ୍ଦେହର ଲାଭ ଦେଇଥିଲେ। ହେଲେ ଏବେ ସେମାନେ ତୁମକୁ ଜାଣିସାରିଲେଣି।”

ପୁର୍ଣ୍ଣେୟାର ଏକ ରାଲିରେ ଯୋଗ ଦେଇ ଶାହ ଆର୍‌ଜେଡି ଓ ଜେଡିୟୁ ଉପରେ ବର୍ଷିଛନ୍ତି। ଦୁଇ ଦଳକୁ ସମାଲୋଚନା କରି ସେ କହିଛନ୍ତି ଯେ ମୁଁ ଏଠି ଆସି ହିଂସା ସୃଷ୍ଟି କୁରୁଛି ବୋଲି ଆର୍‌ଜେଡି ଓ ଜେଡିୟୁ କହୁଛନ୍ତି। ତେବେ ମୁଁ ଏଠି ଅଶାନ୍ତି ସୃଷ୍ଟି କରିବାକୁ ଆସି ନାହିଁ। ଲାଲୁ ପ୍ରସାଦ ଯାଦବ ସେଥିପାଇଁ ଯଥେଷ୍ଟ। ମୁଁ ଆପଣଙ୍କୁ କହିବାକୁ ଆସିଛି ଯେ ବିହାର ସୀମାନ୍ତି ଏରିଆ। ହେଲେ ପ୍ରଧାନମନ୍ତ୍ରୀଙ୍କ ଶାସନକାଳରେ ଲୋକମାନଙ୍କୁ ଡରିବାର କୌଣସି ଆବଶ୍ୟକ ନାହିଁ ବୋଲି ଶାହ ରାଲିକୁ ସମ୍ବୋଧନ କରି କହିଛନ୍ତି।

ଗତ ମାସରେ ବିହାରରେ ବିଜେପି ସରକାର ଗଡ଼ିବାର ମାସକ ପରେ ଏହା ଅମିତ ଶାହଙ୍କର ପ୍ରଥମ ବିହାର ଗସ୍ତ। ଗତମାସରେ ନୀତୀଶ ବିଜେପି ସହ ମେଣ୍ଟ ଭାଙ୍ଗି ପୁଣି ଆର୍‌ଜେଡି ସହ ମେଣ୍ଟ କରିବା କରିଥିଲେ।

Spread the love