ଭରା ସଭାରେ ନିତିଶ କୁମାରଙ୍କ ଉପରେ ଆକ୍ରମଣ ଉଦ୍ୟମ, ଯୁବକ ଗିରଫ

ବଖତିଆରପୁର ୨୭।୩: ବର୍ତ୍ତମାନ ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି। ବିହାର ବକ୍ତିଆରପୁରରେ ଏକ ସଭାମଞ୍ଚରେ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଛି। ତେବେ ମୁଥ ଉହୁଞ୍ଚାଇଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ କାବୁ କରିନେଇଛନ୍ତି। ଫଳରେ ଯୁବକଙ୍କ ମୁଥମାଡ଼ରୁ ମୁଖ୍ୟମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳୁଥିବା ସୂଚନା ଅନୁସାରେ ଯୁବକ ଅଚାନକ ତୀବ୍ର ବେଗରେ ନିତିଶଙ୍କ ମଞ୍ଚ ଉପରକୁ ଉଠିଥିଲା ଓ କେହି କିଛି ବୁଝିବା ଆଗରୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପହଞ୍ଚି ମୁଥ ଉହୁଞ୍ଚାଇଥିବା ବେଳେ ସୁରକ୍ଷାକର୍ମୀ କାବୁ କରିନେଇଛନ୍ତି। କୁହାଯାଉଛି ଯୁବକ ଜଣକ ମାନସିକ ବିକ୍ଷିପ୍ତ। ତେବେ ବଖତିଆରପୁରରେ ଏହି କାର୍ଯ୍ୟକ୍ରମ ଏକ ଘରୋଇ କାର୍ଯ୍ୟକ୍ରମ ଥିଲା ଓ ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବାକୁ ଯାଇଥିଲେ। ଶୁକ୍ରବାର ଯୋଗୀ ଆଦିତ୍ୟନାଥଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିତିଶ ୟୁପି ଯାଇଥିଲେ। ରବିବାର ୟୁପିରୁ ଫେରିବା ପରେ ବଖତିଆରପୁର କାର୍ଯ୍ୟକ୍ରମକୁ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ମଞ୍ଚରେ ମୂର୍ତ୍ତିକୁ ମାଲ୍ୟାର୍ପଣ କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ନିତିଶଙ୍କୁ ମାଡ କିଛି ନୂଆ ଘଟଣା ନୁହେଁ। ଅତୀତରେ ତାଙ୍କ ଉପରେ କେତେଥର ଏହିପରି ଆକ୍ରମଣ ଉଦ୍ୟମ ହୋଇଛି। ୨୦୨୦ ବିହାର ବିଧାନସଭା ନିର୍ବାଚନ କାଳରେ ମଧୁବନୀରେ ନିତିଶ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରୁଥିବା ବେଳେ ଦର୍ଶକ ଗ୍ୟାଲେରିରୁ ଜନୈକ ବ୍ୟକ୍ତି ତାଙ୍କ ଉପରକୁ ପିଆଜ ଓ ଇଟା ମାଡ କରିଥିଲେ। ସେତେବେଳେ ମଞ୍ଚଉପରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ତାଙ୍କୁ ରକ୍ଷା କରିଥିଲେ।

Spread the love