ଶ୍ରୀମନ୍ଦିର ନିୟନ୍ତ୍ରତ ଅଞ୍ଚଳରେ ହୋଇପାରିବ କୋଠା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ଏନଓସି ପ୍ରଦାନ କରିଛି । ତିନି ମହଲା ଅଭ୍ୟର୍ଥନା କୋଠା ନିର୍ମାଣ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏ ଅନୁମତି ଦେଇଛି । ରାଜ୍ୟ ସଂସ୍କୃତି ବିଭାଗକୁ ଏହି ଏନଓସି ପଠାଇଛି ଏନଏମଏ ।

ଶ୍ରୀମନ୍ଦିର ପ୍ରଶାସନକୁ ତିନି ମହଲା କୋଠା ନିର୍ମାଣ ପାଇଁ ଅନୁମତି ମିଳିଥିବା ବେଳେ ସେହି କୋଠାରେ ଭକ୍ତଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ରହିବ । ଏପ୍ରିଲ ୨୫ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଏନଓସି ଦିଆଯାଇଛି । କେବଳ ସେତିକି ନୁହେଁ ପରିକ୍ରମା ପ୍ରକଳ୍ପ ମଧ୍ୟରେ ୨୦ରୁ ଅଧିକ ମଠର ପୁନରୁଦ୍ଧାର ପାଇଁ ମଧ୍ୟ ଏନଓଏସି ମିଳିଛି । ସେପଟେ କାକୁଡି ଖାଇ ଛକ ନିକଟରେ ଆଉ ଏକ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର କୋଠା ନିର୍ମାଣ ପାଇଁ ଅନୁମତି ମିଳିଛି ।

ଏପ୍ରିଲ ୨୫ ତାରିଖରେ ଏନ୍‌ଏମ୍‌ଏ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ କୋଠା ଓ ଅନ୍ୟ ପ୍ରକଳ୍ପ ସମ୍ପର୍କିତ ଏକ ଚିଠି କରିଥିଲେ। ଯେଉଁଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ କୋଠା ପୁରୀ ପୌରାଞ୍ଚଳର ୟୁନିଟ୍‌-୧୮, ଚୁଡ଼ଙ୍ଗସାହି ପୁରୀ ସହର ମୌଜାର ଖାତା ନମ୍ବର-୩୩୨ର ୩୨୧ ନମ୍ବର ପ୍ଲଟ୍‌, ଖାତା ନମ୍ବର-୩୦୭ର ପ୍ଲଟ୍‌ ନମ୍ବର ୩୨୨ ଏବଂ ଖାତା ନମ୍ବର-୨୯୮/୩୫ର ପ୍ଲଟ୍‌ ନମ୍ବର- ୩୨୩, ୩୨୫, ୩୨୬, ୩୨୭, ୩୨୮ରେ ନିର୍ମାଣ ହେବ ବୋଲି ଉଲ୍ଲେଖ ରହିଛି ।

ସେହିଭଳି କାଳିକାଦେବୀସାହି ମୌଜାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଓ ରଘୁନନ୍ଦନ ପାଠାଗାର କରାଯିବ ବୋଲି ଜଣାପଡ଼ିଛି । ୧୦୦ ମିଟର ବାହାରେ ଏମାର ମଠକୁ ଲାଗି ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି । ଏଣୁ ଏଥିପାଇଁ ଆହୁରି ଜମି ଅଧିଗ୍ରହଣ ଓ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ଶୁଣିବାକୁ ମିଳୁଛି ।

Spread the love