ବାତ୍ୟା ‘ମିଚାଉଙ୍ଗ୍‌’ ନେଇ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି ହୋଇନି, ସଂପୂର୍ଣ୍ଣ ନଜର ରଖାଯାଇଛି : ଏଚ୍ଆର୍ ବିଶ୍ୱାସ

ଭୁବନେଶ୍ବର: ବାତ୍ୟା ‘ମିଚାଉଙ୍ଗ୍‌’ ନେଇ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଜାରି ହୋଇନାହିଁ। କିନ୍ତୁ ବାତ୍ୟା ଉପରେ ସମ୍ପୂର୍ଣ ନଜର ରଖାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏଚ୍‌ ଆର ବିଶ୍ବାସ ଏହା କହିଛନ୍ତି। ଆଗାମୀ ୨୪ ଘଣ୍ଟା ଭିତରେ କିଛି ସ୍ଥାନରେ ବର୍ଷା ହୋଇପାରେ। କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବରଗଡ଼, ଝାରସୁଗୁଡା,ବଲାଙ୍ଗୀର, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ। କାଲି (ବୁଧବାର) ଠାରୁ ୨ ଡିସେମ୍ବର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ୩ ଡିସେମ୍ବରରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୪ ଡିସେମ୍ବରରେ ଉପକୂଳ ଓଡିଶା ଏବଂ ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଶ୍ରୀ ବିଶ୍ବାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶ୍ରୀ ବିଶ୍ବାସ କହିଛନ୍ତି ଯେ, ବାତ୍ୟା ମିଚାଉଙ୍ଗ୍‌ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୩୦ ନଭେମ୍ବରରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲାଗିଥିବା ଘୂର୍ଣ୍ଣିବଳୟ ମଧ୍ୟରେ ଆହୁରି ତୀବ୍ର ହେବ। ଦକ୍ଷିଣ ଆଣ୍ଡାମାନ ନିକୋବର ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି ହୋଇଛି। ତାର ଆଖପାଖ ଅଞ୍ଚଳ ଦକ୍ଷିଣ ବଙ୍ଗୋପ ସାଗର ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି ହୋଇଛି। ସେଠାକାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Spread the love