ଯୁଦ୍ଧବିରତି ହେବନି, ରଫା ବର୍ଡର ଖୋଲିବାର ଯୋଜନା ନାହିଁ : ଇସ୍ରାଏଲ୍

ତେଲ୍ ଅଭିଭ୍ : ଗାଜା ଉପରେ ଚାଲିଥିବା ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । ଯୁଦ୍ଧ ବିରତି ହେବ ନାହିଁ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସ୍ପଷ୍ଟ କରିଛି । ସେହିପରି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟା​ଳୟକୁ ଉଦ୍ଧାର କରି ସିଏନଏନ ରିପୋର୍ଟ କରିଛି ଯେ ଇଜିପ୍ଟକୁ ଲାଗିଥିବା ରଫା ସୀମା ଖୋଲିବା ସହ ଏହା ଦେଇ ଗାଜାକୁ ମାନବୀୟ ସହାୟତା ପଠାଇବାର କୌଣସି ଯୋଜନା ନାହିଁ । ଏହା ପୂର୍ବରୁ ଜେରୁଜେଲମରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ସୋମାବାର (ସ୍ଥାନୀୟ ସମୟ) ସକାଳ ୯ଟାରେ ରଫା ବର୍ଡର ଖୋଲିବ । ତେବେ ଏହାର ପ୍ରତିକ୍ରିୟାରେ ହମାସ ପକ୍ଷରୁ କୁହାଯାଇଛି ଯେ ରଫା ବର୍ଡରକ୍ରସିଂ ଖୋଲିବା ନେଇ ଇଜିପ୍ଟ ସରକାରଙ୍କଠାରୁ କୌଣସି ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଇଜିପ୍ଟକୁ ଲାଗିଥିବା ରଫା ବର୍ଡର ଦେଇ ହିଁ ଗାଜାରୁ ଲୋକମାନଙ୍କୁ ସୁରକ୍ଷିତ ବାହାର କରାଯାଇପାରିବ ଓ ସହାୟତା ପଠାଯାଇପାରିବ । ତେବେ ଗତ ସପ୍ତାହରେ ଯୁଦ୍ଧ ଆରମ୍ଭ ହେବା ପରେ ଏହି କ୍ରସିଂ ବନ୍ଦ ରହିଥିଲା । ଏହି କ୍ରସିଂ ଖୋଲିବାକୁ ଇସ୍ରାଏଲ ଉପରେ ଜାତିସଂଘ ଓ ଅନ୍ୟ ଦେଶମାନଙ୍କ ଚାପ ପଡ଼ୁଛି । ଏପରିକି ଏହାକୁ ଖୋଲିବାକୁ ଆମେରିକା ମଧ୍ୟ ଇସ୍ରାଏଲ ଓ ଇଜିପ୍ଟକୁ ପ୍ରବର୍ତ୍ତାଉଛି ।

Spread the love