ବୋରିସ୍‌ଙ୍କ ମୁଣ୍ଡରେ ଅନାସ୍ଥା ପ୍ରସ୍ତାବ ଚିନ୍ତା

ଲଣ୍ଡନ : କୋଭିଡ୍‌ ଲକ୍‌ଡାଉନବେଳେ କଟକଣା ଉଲ୍ଲଂଘନ କରି ସରକାରୀ କାର୍ଯ୍ୟାଳୟ ପରିସରରେ ପାର୍ଟି କରିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ପାଇଁ ମହଙ୍ଗା ପଡ଼ିଛି। ‘ପାର୍ଟିଗେଟ୍‌’ ପାଇଁ ବିରୋଧୀଙ୍କ ସମେତ ବୋରିସ୍‌ଙ୍କୁ ନିଜ ଦଳ କଞ୍ଜରଭେଟିଭ୍‌ ପାର୍ଟିର କେତେକ ସଦସ୍ୟ ମଧ୍ୟ ବିରୋଧ କରୁଛନ୍ତି। ଏପରି କି ଶାସକ ଦଳର କେତେଜଣ ନେତା ବୋରିସ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଅଫିସିଆଲ ଭାବେ ଚିଠି ଦାଖଲ କରିଥିବା ଜଣାଯାଇଛି। ତେଣୁ ଆସନ୍ତା ବୁଧବାର ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।ଭାବେ ବୋରିସ୍‌ଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ ୫୪ କଞ୍ଜରଭେଟିଭ୍‌ ସଦସ୍ୟ ଦଳର ୧୯୨୨ କମିଟି ଚେୟାରମ୍ୟାନ୍‌ଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ।  ପ୍ରାୟ ୨୫ କଞ୍ଜରଭେଟିଭ୍‌ ସଦସ୍ୟ ଖୋଲାଖୋଲି ବୋରିସ୍‌ଙ୍କୁ ହଟାଇବାକୁ ଦାବି କରୁଛନ୍ତି। ପାର୍ଲାମେଣ୍ଟରେ ପର୍ନୋଗ୍ରାଫି ଭିଡିଓ ଦେଖିବା ଏବଂ ଜଣେ ବାଳକଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ କଞ୍ଜରଭେଟିଭ୍‌ ପାର୍ଟିର ଦୁଇ ଏମ୍‌ପି ଇସ୍ତଫା ଦେଇଛନ୍ତି। ଏହି ଦୁଇ ଆସନ ପାଇଁ ଆସନ୍ତା ୨୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆସିଲେ ବୋରିସ୍‌ଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ।ସେହିପରି ଉପନିର୍ବାଚନରେ ଦଳ ପରାଜିତ ହେଲେ ଏବଂ ନିର୍ବାଚନ ପରେ ଅନାସ୍ଥା ପ୍ରସ୍ତାବ ଆସିଲେ ତାହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ବୋରିସ୍‌ ଏବଂ ଡାଉନିଂଷ୍ଟ୍ରିଟ୍‌ ଅଧିକାରୀମାନେ କରୋନା କଟକଣାବେଳେ ଆଲ୍‌କହଲ ପାର୍ଟି କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଏକାଧିକ ଥର କ୍ଷମାପ୍ରାର୍ଥନା କରିଛନ୍ତି। ଘଟଣାର ଯାଞ୍ଚ ପରେ ପୋଲିସ ବୋରିସ୍‌ଙ୍କ ସମେତ ୮୩ ଜଣଙ୍କ ଉପରେ ଜରିମାନା ଲଗାଇଥିଲା।

Spread the love