୨୬ ସପ୍ତାହର ଗର୍ଭଧାରଣ ପରେ ଗର୍ଭପାତ ପାଇଁ ମହିଳାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜଣେ ବିବାହିତା ମହିଳା ୨୬ ସପ୍ତାହର ଗର୍ଭଧାରଣ କରିବା ପରେ ଗର୍ଭପାତ ପାଇଁ କରିଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି ଏବଂ କହିଛନ୍ତି ଯେ ମହିଳାଙ୍କ ଜୀବନ ପ୍ରତି କୌଣସି ବିପଦ ନଥିବାରୁ ଗର୍ଭାବସ୍ଥାର ଏହି ପର୍ଯ୍ୟାୟରେ ଗର୍ଭପାତ ଅନୁରୋଧକୁ କୋର୍ଟ ଅନୁମୋଦନ କରିପାରିବେ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ‘ଗର୍ଭଧାରଣ ହେଉଛି ୨୬ ସପ୍ତାହ ୫ ଦିନର। ତେଣୁ ଗର୍ଭପାତ ପାଇଁ ଅନୁମତି ଦେବା ଏମ୍‌ପିଟି ଆଇନର ଧାରା ୩ ଓ ୫ର ଉଲ୍ଲଂଘନ ହେବ; କାରଣ ଏହି ମାମଲାରେ ମା’ଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ଏବଂ ଏହା ଭ୍ରୁଣ ଅସ୍ୱାଭାବିକତାର ମାମଲା ନୁହେଁ।’  ମହିଳାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆବେଦନକାରୀ ତାଙ୍କ ଗର୍ଭପାତ ପାଇଁ କରିଥିବା ଆବେଦନରେ ଉଲ୍ଲେଖ କରିିଥିଲେ ଯେ ସେ ପୋଷ୍ଟପାର୍ଟମ୍‌ ସାଇକୋସିସ୍‌ରେ ପୀଡ଼ିତ ଅଛନ୍ତି। ତେବେ, ଏମ୍‌ସର ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ପ୍ରଧାନ ବିଚାରପତି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏମ୍‌ସର ରିପୋର୍ଟ ଅନୁଯାୟୀ, ଯଦି ମହିଳା ଗର୍ଭଧାରଣ ଜାରି ରଖନ୍ତି ତେବେ କୌଣସି ଅସୁବିଧା ନାହିଁ। ରିପୋର୍ଟରେ କୁହାଯାଇଛି ଯେ ତାଙ୍କୁ ପୋଷ୍ଟ ପାର୍ଟମ୍‌ ସାଇକୋସିସ୍‌ ଅଛି କିନ୍ତୁ ସେ ଯେଉଁ ଔଷଧ ସେବନ କରୁଛନ୍ତି ତାହା ଶିଶୁକୁ କ୍ଷତି ପହଞ୍ଚାଉ ନାହିଁ।

Spread the love