ୟୁଡିଏସ୍‌ଆଇ୍ ରିପୋର୍ଟ, ୯୨% ସରକାରୀ ସ୍କୁଲରେ ନାହିଁ ଇଣ୍ଟରନେଟ୍

ଭୁବନେଶ୍ୱର ୦୭/୧୧: ଦିନକୁ ଦିନ ବଦଳୁଛି ସ୍କୁଲର ରୂପରେଖ । ସ୍ମାର୍ଟ ହେଉଛି ସରକାରୀ ସ୍କୁଲ । ଚକାଚକ୍‌ ଚଟାଣ ସାଙ୍ଗକୁ ସ୍ମାର୍ଟବୋର୍ଡରେ ପିଲା ପଢୁଛନ୍ତି ପାଠ । କିନ୍ତୁ ହାତଗଣତି କିଛି ସ୍କୁଲରେ । ଏବେବି ରାଜ୍ୟର ୯୨% ସ୍କୁଲରେ ଇଣ୍ଟରେନେଟ୍‌ ନାହିଁ । ମାତ୍ର ୮% ସରକାରୀ ସ୍କୁଲରେ ଇଣ୍ଟରନେଟ୍‌ ସୁବିଧା ପାଉଛନ୍ତି ଛାତ୍ରଛାତ୍ରୀ । ଯାହାକି ଜାତୀୟ ହାରଠୁ ବହୁତ କମ୍‌ । ଖାଲି ଜାତୀୟ ହାର ନୁହେଁ, ଅନ୍ୟ ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଠୁ ବି ଇଣ୍ଟରନେଟ୍‌ ସୁବିଧାରେ ଆମ ରାଜ୍ୟ ପଛରେ ପଡ଼ିଛି । ଦିଲ୍ଲୀରେ ତ ସମସ୍ତ ସ୍କୁଲରେ ଇଣ୍ଟରନେଟ୍‌ ସୁବିଧା ରହିଛି । ଏଭଳି ଚିତ୍ର ଗୁରୁବାର ପ୍ରକାଶିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨୦୨୧-୨୨ ୟୁଡିଏସ୍‌ଆଇ୍ମ ରିପୋର୍ଟ ଦର୍ଶାଯାଇଛି ।

ୟୁଡିଏସ୍‌ଆଇ୍ ରିପୋର୍ଟରେ ଓଡ଼ିଶାରେ ସମୁଦାୟ ୬୨ ହଜାର ୨୯୧ ସ୍କୁଲ ରହିଛି । ଏହା ଭିତରୁ ସରକାରୀ ସ୍କୁଲ ହେଉଛି ୪୯୦୭୨ । କିନ୍ତୁ ମାତ୍ର ୩୯୭୦ ସ୍କୁଲର ପିଲାମାନେ ଇଣ୍ଟରନେଟ୍‌ ସୁବିଧା ପାଉଛନ୍ତି । ଅନୁଦାନପ୍ରାପ୍ତ ୫୮୦୭ ମଧ୍ୟରୁ ୧୦୧୨ ସ୍କୁଲରେ ଇଣ୍ଟରନେଟ୍‌ ଅଛି । ସେହିପରି ୬୧୦୪ ଘରୋଇ ସ୍କୁଲ ମଧ୍ୟରୁ ଅଧା ସ୍କୁଲରେ ଇଣ୍ଟରନେଟ୍‌ ଅଛି । ଖାଲି ଇଣ୍ଟରନେଟ୍‌ ନୁହେଁ, କମ୍ପ୍ୟୁଟର ସୁବିଧାରେ ମଧ୍ୟ ଅନେକ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ରହିଛି । ମାତ୍ର ୮୯୯୯୦ ସରକାରୀ ସ୍କୁଲରେ କମ୍ପ୍ୟୁଟର ରହିଛି । ଏହା ମଧ୍ୟରୁ କମ୍ପ୍ୟୁଟର ୮୭୦୫ ସ୍କୁଲରେ ଚାଲିଛି । ଅର୍ଥାତ୍‌ ୮୨%ରେ କମ୍ପ୍ୟୁଟର ନାହିଁ । ଆଦିବାସୀ ଅଧ୍ୟୁଷିତ ଅନେକ ସ୍କୁଲରେ ପିଲା ଏପର୍ଯ୍ୟନ୍ତ କମ୍ପ୍ୟୁଟର କ’ଣ ଜାଣିନାହାନ୍ତି । ହେଲେ ସରକାର ବିଶ୍ୱସ୍ତରୀୟ ଚେହେରା ଖାଲି ଦେଖାଇ ଚାଲିଛନ୍ତି । ସେହିପରି ୩୩.୬% ସରକାରୀ ଅନୁଦାନପ୍ରାପ୍ତ, ୭୭.୫% ଘରୋଇ, ୩୫% ଅନ୍ୟାନ୍ୟ ସ୍କୁଲରେ କମ୍ପ୍ୟୁଟର ରହିଛି ।

କମ୍ପ୍ୟୁଟର, ଇଣ୍ଟରନେଟ୍‌ ଛାଡ଼ ଦିବ୍ୟାଙ୍ଗ ପିଲାଙ୍କୁ ସୁହାଇଲା ଭଳି ଶୌଚାଳୟ ଆଜି ପର୍ଯ୍ୟନ୍ତ ସବୁ ସ୍କୁଲରେ ହୋଇପାରିଲା ନାହିଁ । ୬୨ ହଜାର ୨୯୧ ସ୍କୁଲ ମଧ୍ୟରୁ ୩୪୧୩୪ ସ୍କୁଲରେ ଶୌଚାଳୟ ଅଛି । କିନ୍ତୁ କାମ କରୁଛି ୩୩୦୬୨ ସ୍କୁଲରେ । ସମୁଦାୟ ୨୧୯୯୫ ସ୍କୁଲରେ ଦିବ୍ୟାଙ୍ଗ ପିଲା ସାଧାରଣ ଶୌଚାଳୟକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ୨୦ ପ୍ରତିଶତ ସ୍କୁଲରେ ଏହି ପିଲାଙ୍କ ପାଇଁ ରାମ୍ପ୍‌ର ମଧ୍ୟ ସୁବିଧା ହୋଇପାରିଲା ନାହିଁ ।

ଅନ୍ୟପକ୍ଷରେ, ରିପୋର୍ଟ ଅନୁସାରେ ୨୦୨୦-୨୧ ଶିକ୍ଷାବର୍ଷରେ ଦେଶରେ ସମୁଦାୟ ୨୦ ହଜାର ସରକାରୀ ସ୍କୁଲ ବନ୍ଦ ହୋଇଯାଇଛି । ସ୍କୁଲ ମିଶ୍ରଣ ଯୋଗୁଁ ଏହି ସବୁ ସ୍କୁଲ ବନ୍ଦ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୨୦-୨୧ରେ ୧୫ ଲକ୍ଷ ୯ ହଜାର ସ୍କୁଲ ଥିବାବେଳେ ୨୦୨୧-୨୨ରେ ୧୪ ଲକ୍ଷ ୮୯ ହଜାର ହୋଇଛି । ସ୍କୁଲ ଭଳି ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ୨୦୨୦-୨୧ରେ ୯୭.୮୭ ଲକ୍ଷ ଶିକ୍ଷକ ଥିଲେ । କିନ୍ତୁ ୨୦୨୧-୨୨ ବେଳକୁ ୨ ଲକ୍ଷ ୮୦ ହଜାର ଶିକ୍ଷକ କମି ୯୫.୦୭ ଲକ୍ଷ ରହିଛି ।

Spread the love