ଭୁବନେଶ୍ବର ଷ୍ଟେସନ୍‌କୁ ସାଢ଼େ ୪ ଘଣ୍ଟା ଆସିଲାନି ଟ୍ରେନ୍‌

ଭୁବନେଶ୍ବର: ପୂର୍ବତଟ ରେଳପଥର ପ୍ରମୁଖ ରେଳ ଷ୍ଟେସନ ‘ଭୁବନେଶ୍ୱର ରେଳ ଷ୍ଟେସନ୍‌’ ସମେତ ବାଣୀବିହାର, ମଞ୍ଚେଶ୍ବରକୁ ଆଜି ଅପରାହ୍‌ଣ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଟ୍ରେନ୍‌ ଯାତାୟତ କରିନାହିଁ । ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଏହି ଷ୍ଟେସନ୍‌କୁ ଟ୍ରେନ୍‌ ନ ଆସିବା କାରଣରୁ ହଜାର ହଜାର ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଟ୍ରେନ୍‌ ଚଳାଚଳ ନେଇ ଯାତ୍ରୀଙ୍କ ପାଖରେ ସୂଚନା ନଥିବାରୁ ସେମାନେ ଟ୍ରେନ୍‌ ଷ୍ଟେସନରେ ରେଳକୁ ଅପେକ୍ଷା କରି ହୀନସ୍ତା ହୋଇଛନ୍ତି।

ପୂର୍ବତଟ ରେଳବାଇରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଘଟଣା ସଂପର୍କରେ ପଚାରିବାରୁ ସେ ନିଜ ନାମ ଗୋପନ ରଖି କହିଛନ୍ତି, ପୂର୍ବତଟ ରେଳପଥ ଅଧୀନ ମଞ୍ଚେଶ୍ବର ଠାରୁ ଭୁବନେଶ୍ବର ମୁଖ୍ୟ ଷ୍ଟେସନ୍‌ ମଧ୍ୟରେ ଟ୍ରେନ୍‌ ଲାଇନ୍‌ କାମ ଚାଲିଛି। ଏହି କାରଣରୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଅନେକଗୁଡ଼ିଏ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ଦିନ ସମୟରେ ଭୁବନେଶ୍ବର ଷ୍ଟେସନ୍‌କୁ କମ୍‌ ଟ୍ରେନ୍‌ ଆସୁଛି। ରାତ୍ରୀ ସମୟରେ ଚାଲୁଥିବା କିଛି ଟ୍ରେନ୍‌ ଚାଲୁଥିବା ବେଳେ ଆଉକିଛିକୁ ବାତିଲ କରିଦିଆଯାଇଛି। ଆଗାମୀ ୩୦ ତାରିଖ ଯାଏଁ ଯାତ୍ରୀଙ୍କୁ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Spread the love