ଇମ୍ରାନ ଖାନ୍‌ଙ୍କ ବିରୋଧରେ ସଂସଦରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ

ଇସ୍‌ଲମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ପାକ୍‌ ସଂସଦରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିରୋଧୀଙ୍କ ସବୁ ଚାଲ୍ ଫେଲ୍ ମାରିଛି। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ଫଳରେ ଇମ୍ରାନ ଖାନ୍ ପୂର୍ବପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିବେ। ବିଦେଶୀ ଷଡ଼ଯନ୍ତ୍ର କାରଣ ଦର୍ଶାଇ ପ୍ରସ୍ତାବ ଖାରଜ କରାଯାଇଛି।

ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ବିଦେଶୀ ଷଡ଼ୟନ୍ତ୍ର କହି ଗୃହ ନିଲମ୍ବିତ କରିଛନ୍ତି। ଗୃହରେ ଭୋଟ୍ କରାଇବାକୁ ଅନୁମତି ନଦେଇ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ଉବାଚସ୍ପତିଙ୍କର ଏହି ରାୟରେ ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିରୋଧୀ ଦଳଗୁଡ଼ିକ ଗୃହରେ ହଙ୍ଗାମା କରିଥିଲେ।

ସଂସଦର ନିମ୍ନ ସଦନର ୩୪୨ ଭୋଟ୍ ମଧ୍ୟରୁ ଇମ୍ରାନଙ୍କୁ ଅନାସ୍ଥା ଭୋଟ୍ ଜିତିବାକୁ ହେଲେ ୧୭୨ ଭୋଟର ଆବଶ୍ୟକ ଥିଲା। ହେଲେ ସହଯୋଗୀ ଦଳଗୁଡ଼ିକ ସମର୍ଥନ କାଢ଼ି ନେବା ପରେ ଇମ୍ରାନଙ୍କୁ ଗୃହରେ ଏତେ ଭୋଟ୍ ପାଇବା ଅସମ୍ଭବ ଥିଲା। ଏପଟେ ଡେପୁଟି ସ୍ପିକର କାସିମ ଖାନ ସୁରୀ ପ୍ରସ୍ତାବକୁ ପାକିସ୍ତାନ ସମ୍ବିଧାନର ଅନୁଚ୍ଛେଦ ୫ର ଉଲ୍ଲଂଘନ ବୋଲି କହିବା ପରେ ବିଦେଶୀ ଷଡ଼ଯନ୍ତ୍ର କହି ପ୍ରସ୍ତାବକୁ ଖାରଜ କରିଦେବା ପରେ ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି ମିଳିଛି।

ତା ସହିତ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ସଂସଦକୁ ମୁଲତବୀ କରାଯାଇଛି। ଗୃହ ମୁଲତବୀ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ମୁଁ ରାଷ୍ଟ୍ରପତିଙ୍କୁ ଗୃହ ମୁଲତବୀ କରିବାକୁ କହିଥିଲି ବୋଲି ଇମ୍ରାନ କହିଛନ୍ତି। ଅନାସ୍ଥା ପ୍ରସ୍ତାବ ଏକ ବିଦେଶୀ ଚାଲ୍। ମୁଁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଖାରଜ୍ କରିଦେବାକୁ କହିଥିଲି। ଏବେ ଡେପୁଟି ସ୍ପିକର ଅନାସ୍ଥା ପ୍ରସ୍ତାବ ନ କରିବାକୁ ଦେଇଥିବା ରାୟରେ ଦେଶବାସୀ ଖୁସି ବୋଲି ଇମ୍ରାନ କହିଛନ୍ତି। ତା ସହିତ ନିର୍ବାଚନ ପାଇଁ ବିରୋଧୀମାନଙ୍କୁ ପ୍ରସ୍ତୁତ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

ଏପଟେ ଡେପୁଟି ସ୍ପିକରଙ୍କର ଏଭଳି ଆଭିମୁଖ୍ୟକୁ ନେଇ ତାତିଛି ବିରୋଧୀ। ସରକାର ନିୟମ ଭଙ୍ଗ କରିଛନ୍ତି। ସରକାରଙ୍କ ବିରୋଧରେ ଆମେ ସୁପ୍ରିମକୋର୍ଟ ଯିବୁ ବୋଲି ବିରୋଧୀ ଦଳର ନେତା କହିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଗୃହରେ ଅନାସ୍ଥା ପ୍ରସ୍ତାବକୁ ଅନୁମତି ନ ଦେଇ ସରକାର ସମ୍ବିଧାନ ନିୟମର ଉଲ୍ଲଂଘନ କରିଛନ୍ତି। ଆମେ ବିରୋଧୀମାନେ ସଂସଦ ଛାଡ଼ିବୁ ନାହିଁ। ଆମ ଓକିଲମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେଣି। ଏହା ବିରୋଧରେ ଆମେ ସୁପ୍ରିମକୋର୍ଟ ଯାଇ ଆଜି ହିଁ ମାମଲାର ଶୁଣାଣି କରିବା ପାଇଁ ଦାବି କରିବୁ ବୋଲି ବିଲାୱାଲ ସୂଚନା ଦେଇଛନ୍ତି।

ତା ସହିତ ସରକାରଙ୍କର ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ବିକ୍ଷୋଭ କରିବା ସହିତ ସମ୍ବିଧାନର ସୁରକ୍ଷା ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ଆହ୍ୱାନ କରୁଛୁ ବୋଲି ବିଲାୱାଲ୍ କହିଛନ୍ତି।

Spread the love