ନୋବେଲ ବିଜେତା ମଲାଲା ୟୁସୁଫଜାଇଙ୍କୁ ବିବାହ କରିଥିବା ଅସର ମଲିକ କିଏ ?

 

ନୂଆଦିଲ୍ଲୀ ୧୦/୧୧ : ଝିଅମାନଙ୍କ ଶିକ୍ଷା ପାଇଁ ଲଢ଼ିଥିବା ଓ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ନଭେମ୍ବର ୯ ତାରିଖ ରାତିରେ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ସେ ଅସର ମଲିକଙ୍କୁ ବିବାହ କରିଛନ୍ତି। ଏହା ତାଙ୍କ ଜୀବନର ଅମୁଲ୍ୟ ଦିନ ବୋଲି ସେ କହିଛନ୍ତି। ମଲାଲା ବାର୍ମିଘଂମ ସ୍ଥିତ ନିଜ ଘରେ ନିକାହ କରିଛନ୍ତି। ତେବେ ମଲାଲା ବିବାହ କରିଥିବା ଅସର ମଲିକ କିଏ ?

ଅସର ମଲିକଙ୍କ ସୋସିଆଲ ମିଡ଼ିଆ ପ୍ରୋଫାଇଲ ଅନୁଯାୟୀ ସେ ଇଣ୍ଟରପ୍ରେନ୍ୟୋର। ବର୍ତ୍ତମାନ ସେ ପାକିସ୍ତାନ କ୍ରିକେଟ ବୋର୍ଡର ଜେନେରାଲ ମ୍ୟାନେଜର। କ୍ରିକେଟ ପ୍ରତି ତାଙ୍କର ଆଗ୍ରହ କେତେ ଅଛି ତାହା ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରୁ ଜାଣିହୁଏ। ଅସର କ୍ରିକେଟ ସହ ସମ୍ପୃକ୍ତ ଅଛନ୍ତି। ସେ ପାକିସ୍ତାନ ଟି-୨୦ ଲିଗରେ ମୁଲତାନ ସୁଲତାନ ଟିମ ପାଇଁ ପ୍ଲେୟାର ଡେଭେଲପମେଣ୍ଟ ପ୍ରୋଗ୍ରାମ ପ୍ରସ୍ତୁତ କରିଥିଲେ। ଅସର ୨୦୨୦ ରୁ ପାକିସ୍ତାନ କ୍ରିକେଟ ବୋର୍ଡ ସହ କାମ କରୁଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗଲି କ୍ରିକେଟ ପ୍ରତି ଅସରଙ୍କ ବହୁତ ଆଗ୍ରହ। ସେ ଗଲି କ୍ରିକେଟରୁ ଟ୍ୟାଲେଣ୍ଟ ଖୋଜି ବାହାର କରନ୍ତି।

ଅସର ଲାହୋରରୁ ସ୍କୁଲ ଶିକ୍ଷା ପୁରା କରିଛନ୍ତି। ତାପରେ ସେ ଲାହୋର ଆଇଚିନ୍ସନ୍ କଲେଜରୁ ପଢ଼ିଛନ୍ତି। ସେ ଲାହୋର ୟୁନିଭର୍ସିଟି ଅଫ ମ୍ୟାନେଜମେଣ୍ଟ ସାଇନ୍ସରେ ସ୍ନାତକ କରିଛନ୍ତି।

ମଲାଲା ସାରା ଦୁନିଆର ଝିଅମାନଙ୍କ ଶିକ୍ଷା ପାଇଁ ଓକିଲାତି କରିଥିଲେ। ତାଲିବାନୀ ଆତଙ୍କବାଦୀ ୧୧ ବର୍ଷ ବୟସରେ ତାଙ୍କୁ ହମଲା କରିଥିଲେ। ସେ ସ୍କୁଲରୁ ଫେରୁଥିବା ସମୟରେ ତାଙ୍କୁ ହମଲା କରାଯାଇଥିଲା। ବହୁ ଦିନ ଧରି ତାଙ୍କର ଚିକିତ୍ସା ହୋଇଥିଲା। ତାପରେ ସେ ସୁସ୍ଥ ହୋଇଥିଲେ। ଝିଅମାନଙ୍କ ଶିକ୍ଷା ଓ ଅଧିକାର ପାଇଁ ଲଢ଼ିଥିବା ମଲାଲାଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ।

Spread the love