ବେଲାଋଷ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଓସଲୋ ୭।୧୦: ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ୨୦୨୨ ବର୍ଷ ନିମନ୍ତେ ନୋବେଲ କମିଟି ବେଲାଋଷ ମାନବାଧିକାର ଅଧିବକ୍ତା ଏଲେସ୍ ବିୟାଲିୟାତ୍ସ୍କିଙ୍କ ସହ ଋଷିଆ ମାନବାଧିକାର ସଙ୍ଗଠନ ମୋମୋରିଆଲ ଓ ୟୁକ୍ରେନ ମାନବାଧିକାର ସଙ୍ଗଠନ ସେଣ୍ଟର ଫର ସିଭିଲ ଲିବର୍ଟିଜକୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ନୋବେଲ ପିସ୍ ପ୍ରାଇଜ୍ ବିଜେତା ନିଜ ଦେଶରେ ନାଗରିକ ସମାଜର ପ୍ରତିନିଧିତ୍ୱ କରୁଛନ୍ତି। ଦୀର୍ଘବର୍ଷରୁ ସରକାରଙ୍କ ସମାଲୋଚନା କରୁଥିବା ଓ ନାଗରିକଙ୍କ ମୌଳିକ ଅଧିକାରକୁ ମଜଭୁତ କରିଛନ୍ତି।

୧.ଏଲେସ୍ ବିୟାଲିୟାତ୍ସ୍କି
୧୯୮୦ ଦଶକ ମଧ୍ୟ ଭାଗରେ ବେଲାଋଷରେ ହୋଇଥିବା ଗଣତାନ୍ତ୍ରିକ ଆନ୍ଦୋଳନ ଆରମ୍ଭ କରିବାରେ ଏଲେସ୍ ଅନ୍ୟତମ ଥିଲେ। ସେ ତାଙ୍କ ଜୀବନକୁ ତାଙ୍କ ଦେଶର ଗଣତନ୍ତ୍ର ଓ ଶାନ୍ତିପୂର୍ଣ୍ଣ ବିକାଶକୁ ପ୍ରୋତ୍ସାହିତ କରିବା ଲାଗି ଉତ୍ସର୍ଗ କରିଦେଇଛନ୍ତି। ସେ ୧୯୯୬ ମସିହାରେ ‘ଭିୟାସନା’ ସଙ୍ଗଠନର ସ୍ଥାପନା କରିଥିଲେ। ଭିୟାସନା ଏକ ମାନବାଧିକାର ସଙ୍ଗଠନଭାବେ ଗଢିଉଠିଥିଲା ଓ ରାଜନୈତିକ କୈଦିଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଶ୍ୱର ଉତ୍ତୋଳନ କରିଥିଲା।

୨.ମେମୋରିଆଲ
ମାନବାଧିକାର ସଙ୍ଗଠନ ‘ମେମୋରିଆଲ’କୁ  ପୂର୍ବତନ ସୋଭିଏତ ସଂଘର ମାନବାଧିକାର କାର୍ଯ୍ୟକର୍ତ୍ତାମାନେ ସ୍ଥାପନା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା କମ୍ୟୁନିଷ୍ଟ ଶାସନରେ ଉତ୍ପିଡ଼ନାର ଶିକାର ଲୋକଙ୍କୁ ଯେପରି କେବେ ଭୁଲା ନଯାଏ। ସଙ୍ଗଠନ ସ୍ଥାପନା ପରଠାରୁ ନିଜ କର୍ତ୍ତବ୍ୟ ପାଳନ କରିଚାଲିଛି। ଯେଉଁଥିରେ ଚେଚେନ ଯୁଦ୍ଧକାଳରେ ‘ମେମୋରିଆଲ’ ଋଷ ଓ ଋଷିଆ ସମର୍ଥକ ଫୋର୍ସଙ୍କ ଦ୍ୱାରା ଲୋକଙ୍କ ଉପରେ କରାଯାଇଥିବା ଅତ୍ୟାଚାର ଓ ଯୁଦ୍ଧ ଅପରାଧ ସମ୍ପର୍କରେ ସାରା ବିଶ୍ୱକୁ ସୂଚନା ପହଞ୍ଚାଇଥିଲା।

୩.ସେଣ୍ଟର ଫର ସିଭିଲ ଲିବର୍ଟିଜ
ଯୁକ୍ରେନରେ ମାନବାଧିକାର ଓ ଗଣତନ୍ତ୍ରକୁ ମଜଭୁତ କରିବା ଉଦ୍ଦେଶ୍ୟରେ ସେଣ୍ଟର ଫର ସିଭିଲ ଲିବର୍ଟିଜର ସ୍ଥାପନା ହୋଇଥିଲା। ଏହା ୟୁକ୍ରେନରେ ନାଗରିକ ସମାଜକୁ ମଜଭୁତ କରିବାକୁ  ଓ ଅଧିକାରୀଙ୍କ ଉପରେ ୟୁକ୍ରେନକୁ ଏକ ପୂର୍ଣ୍ଣ ଗଣତନ୍ତ୍ରରେ ପରିଣତ କରିବା ପାଇଁ ଚାପ ସୃଷ୍ଟି ଲାଗି ଛିଡା ହୋଇଥିଲା। ସଙ୍ଗଠନ ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନୀୟ ନାଗରିକଙ୍କ ବିରୋଧରେ ଋଷିୟ ଯୁଦ୍ଧ ଅପରାଧର ଚିହ୍ନଟ ଓ ଏ ସମ୍ପର୍କିତ କାଗଜପତ୍ର ଜମା କରିବାର ଦାୟିତ୍ୱ ନିର୍ଭିକତାର ସହ କରିଥିଲା। ସଙ୍ଗଠନ ଦୋଷୀ ପକ୍ଷଙ୍କୁ ସେମାନଙ୍କ ଅପରାଧ ଲାଗି ଉତ୍ତରଦାୟୀ କରିବା ନିମନ୍ତେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି।

Spread the love