ମଟରସାଇକେଲ୍‌ ସାଇଲେନ୍ସର ବିକଟାଳ ଶବ୍ଦ ପାଇଁ ଜରିମାନା ଦେଲେ ୬ ଗାଡି ମାଲିକ

ସମ୍ବଲପୁର :  ସମ୍ବଲପୁର ସହରର ପ୍ରତି ଗଳିକନ୍ଦିରେ ବିକଟାଳ ଶବ୍ଦ କରି ବିଭିନ୍ନ ମୋଟରସାଇକେଲ ଆରୋହୀ ମାନେ ଷ୍ଟଣ୍ଟ କରୁଥିବା ବେଳେ ଦିନ ହେଉ କି ରାତି ହେଉ ଲୋକେ ଶାନ୍ତିରେ ରହି ପାରୁ ନାହାନ୍ତି ।ଏଭଳି ବିକଟାଳ ଶବ୍ଦ ଅନ୍ୟ ଜାଗାରେ ହେଉଛି।  ଏ ସର୍ମ୍ପକରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ହେଉ ଥିବାରୁ ବାଧ୍ୟ ହୋଇ ସମ୍ବଲପୁର ପୁଲିସ ମଝିରେ ମଝିରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଉଛି । ଏଣୁ କିଛି ଦିନ ହେବ ନିୟମିତ ଟାଉନ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରୁଛି।ସୂଚନାଯୋଗ୍ୟ ଯେ, ସମ୍ବଲପୁର ପୁଲିସ ୫୦ରୁ ଊର୍ଦ୍ଧ୍ୱ ବୁଲେଟ ଓ ଅନ୍ୟାନ୍ୟ ଗାଡି ଗୁଡିକୁ ଧରି ଜରିମାନା କରିବା ସହିତ ସେଗୁଡିକ ସାଇଲେନ୍ସର ଖୋଲି ଥିବା ସତ୍ୱେ ଅନେକ ଦୁଇ ଚକିଆଯାନ ଗୁଡିକ ବିକଟାଳ ଶବ୍ଦ କରି ଘୂରି ବୁଲୁଥିବାର ଦେଖାଯାଉଛି । ଅନେକ ମୋଟର ସାଇକେଲ ମାଲିକ ଜାଣିଶୁଣି କମ୍ପାନୀ ଦେଇଥିବା ସାଇଲେନ୍ସର ଗୁଡିକୁ ବଦଳାଇ ଦେଇ ଉଚ୍ଚ ଶବ୍ଦଯୁକ୍ତ କରି ସହରରେ ଘୂରି ବୁଲୁଛନ୍ତି । ଏହା ଦ୍ୱାରା ଶବ୍ଦ ପ୍ରଦୂଷଣ ସହିତ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି । ଫଳରେ ହୃଦରୋଗୀ, ରୋଗୀ, ବରିଷ୍ଠ ନାଗରିକ, ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉଚ୍ଚ ଶବ୍ଦଯୁକ୍ତ ଗାଡି ଗୁଡିକ ଖରାପ ପ୍ରଭାବ ପକାଉଥିବାରୁ ଲୋକେ ଏଭଳି ମୋଟର ସାଇକେଲ ଗୁଡିକୁ ସମ୍ପୁର୍ଣ୍ଣ ନିଷେଧ କରିବାକୁ ଦାବି କରୁଛନ୍ତି । ଗତକାଲି ରାତ୍ରି ପର୍ଯ୍ୟନ୍ତ ଟାଉନ ପୁଲିସ ବିଭିନ୍ନ ସ୍ଥାନରୁ ୬ଟି ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବୁଲେଟ ଓ ଅନ୍ୟାନ୍ୟ ଗାଡି ଗୁଡିକୁ ଧରିଛି ।ପୁଲିସ ଗାଡି ଗୁଡିକୁ ଧରି ଟାଉନ ଥାନାକୁ ଆଣି ମେକାନିକ ଡକାଇ ବୁଲେଟ ଗୁଡିକର ସାଇଲେନ୍ସର ଗୁଡିକୁ ଖୋଲିବା ପରେ ପ୍ରତ୍ୟେକ ଗାଡି ମାଲିକ ଙ୍କୁ ୨ ହଜାର ଲେଖାଏଁ ସମୁଦାୟ ୧୨ ହଜାର ଟଙ୍କା ଜରିମାନା ଆଦାୟ କରି ତାଗିଦ କରି ଛାଡିଛି ।

Spread the love