ସଫଳତାର ଶୀର୍ଷରେ ନୋରା

ମୁମ୍ଵାଇ ୨୨।୦୯: ବଲିଉଡ୍‌ର ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି । ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସେ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ପ୍ରତିଯୋଗୀରୁ ବିଚାରକ ହେବା ପର୍ଯ୍ୟନ୍ତର ନିଜ ଯାତ୍ରା ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଆଜି ଜଣେ ବଡ଼ ଷ୍ଟାର୍‌ ଭାବେ ପରିଚିତ ନୋରା ଛୋଟ କଳାକାର ରୂପେ କ୍ୟାରିଅର ଆରମ୍ଭ କରିଥିଲେ । ‘ଝଲକ୍‌ ଦିଖ୍‌ଲା ଜା’ ଜରିଆରେ ସେ କ୍ୟାରିଅର୍‌ର ପ୍ରଥମ ସିଡ଼ି ଚଢ଼ିଥିଲେ । ଜଣେ ପ୍ରତିଯୋଗୀ ଭାବେ ପାଦ ଥାପିଥିଲେ । ବର୍ତ୍ତମାନ ଆଜି ସେହି ମଞ୍ଚରେ ସେ ବିଚାରକ ହୋଇଛନ୍ତି ଡ୍ୟାନସିଂ କ୍ଵିନ୍‌ ନୋରା ।

ଦିନଥିଲା, ପ୍ରତିଯୋଗୀ ନୋରାଙ୍କୁ ଶୋ’ର ବିଚାରକମାନେ ପ୍ରଶଂସା କରି ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲେ । ଏବେ ନୋରା ନିଜେ ବିଚାରକ ଭାବେ ପ୍ରତିଯୋଗୀଙ୍କୁ ଆଗକୁ ବଢ଼ିବାକୁ ପ୍ରେରିତ କରୁଛନ୍ତି । ‘ଝଲକ୍‌ ଦିଖ୍‌ଲା ଜା-୧୦’ ମଞ୍ଚରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ପ୍ରଯୋଜକ କରଣ ଜୋହରଙ୍କ ସହ ବିଚାରକ ଭାବେ ନଜର ଆସୁଛନ୍ତି ନୋରା । ନୋରା ସେୟାର କରିଥିବା ଭିଡିଓରେ ନିଜର ନୃତ୍ୟ ଝଲକ୍‌ ମଧ୍ୟ ଦେଖାଇଛନ୍ତି । ଫ୍ୟାନ୍‌ ଓ ଅନେକ ସେଲିବ୍ରିଟି ନୋରାଙ୍କ ଯାତ୍ରା ଓ ତାଙ୍କ କଠିନ ପରିଶ୍ରମକୁ ଖୁବ୍‌ ତାରିଫ କରିଛନ୍ତି ।

 ଲୋକେ ତାଙ୍କୁ ପ୍ରେରଣା ବୋଲି କହିଛନ୍ତି । ଏହା ପୂର୍ବରୁ ‘ଡ୍ୟାନ୍ସ ଦିୱାନେ ଜୁନିୟର୍ସ’ ଜରିଆରେ ପ୍ରଥମ ଥର ରିୟଲିଟି ଶୋ’ ବିଚାରକ ଭାବେ ସେ ନଜର ଆସିଥିଲେ । ସେତିକି ନୁହେଁ, ସୋନି ଟିଭିରେ ପ୍ରସାରିତ ଡ୍ୟାନ୍ସ ରିୟଲିଟି ଶୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର୍‌’ରେ ଟେରେନ୍ସ ଲୁଇସ୍‌ ଓ ଗୀତା କପୁରଙ୍କ ସହ କିଛି ଏପିସୋଡ୍‌ରେ ସେ ବିଚାରକ ଭାବେ ନଜର ଆସିଥିଲେ । ଏଥିସହ ଏକାଧିକ ଡ୍ୟାନ୍ସ ରିଆଲିଟି ଶୋ’ରେ ମଧ୍ୟ ତାଙ୍କ ଝଲକ୍‌ ଦେଖିବାକୁ ପାଇଥିଲେ ଦର୍ଶକ ।

Spread the love