ଭ୍ୟାକ୍ସିନ ନାହିଁ ତ ମେ ମାସର ଦରମା ନାହିଁ

ଭୋପାଳ ୨୨।୦୫: ମଧ୍ୟ ପ୍ରଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି। ମହାମାରୀର ମୁକାବିଲା ପାଇଁ ଅସ୍ତ୍ର ଭାବେ ଟିକା ଲଗାଇବା ଉପରେ ଗୁରୁତ୍ଵ ଦିଆଯାଉଛି। ଏହା ମଧ୍ୟରେ ମଧ୍ୟ ପ୍ରଦେଶର ଦତିଆ ଜିଲ୍ଲାର କଲେକ୍ଟର ସଞ୍ଜୟ କୁମାରଙ୍କ ଆଦେଶ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାପାଳ ସଞ୍ଜୟ ସରକାରୀ କର୍ମଚାରୀଙ୍କୁ ଟିକା ନେବା ବାଧ୍ୟତାମୂଳକ କରିବା ସହ ଏକ ଅଜବ ଆଦେଶ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଯେଉଁ କର୍ମଚାରୀ ଭ୍ୟାକ୍ସିନ ନେବେ ନାହିଁ ସେମାନଙ୍କର ମେ ମାସର ଦରମା ବନ୍ଦ। ଏଥିପାଇଁ କର୍ମଚାରୀ ମେ ୨୪ ସୁଦ୍ଧା ଟିକା ଲଗାଇବାକୁ ବାଧ୍ୟ। ମେ ୨୫ରେ ଏହାର ସାର୍ଟିଫିକେଟ୍ ବରିଷ୍ଠ ଅଧିକାରୀଙ୍କୁ ଦେବାକୁ ପଡିବ ବୋଲି ଜିଲ୍ଲାପାଳ ତାଙ୍କ ଆଦେଶରେ କହିଛନ୍ତି।

ଜିଲ୍ଲାପାଳଙ୍କ ଏହି ଆଦେଶ ସେହି କର୍ମଚାରୀଙ୍କ ପାଇଁ ନୂଆ ସଙ୍କଟ ସୃଷ୍ଟି କରିଛି, ଯାହାଙ୍କ ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ ରହିଛି। କାରଣ ଏହି ବର୍ଗର ଟିକାକରଣ ପାଇଁ ସ୍ଲଟ୍ ମିଳୁନାହିଁ। ଏମିତିରେ ସେମାନେ କେମିତି ଟିକା ନେବେ ତାକୁ ନେଇ ବଡ ସମସ୍ୟା ସୃଷ୍ଟି ହୋଇଛି। ଏହା ବାଦ ସେହି କର୍ମଚାରୀ ମଧ୍ୟ ଚିନ୍ତିତ, ଯେଉଁମାନେ ନିକଟରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଛନ୍ତି। ଡାକ୍ତର ସେମାନଙ୍କୁ ଏକ ମାସ ପରେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି।

ଗର୍ଭବତୀ ମହିଳାଙ୍କୁ ମଧ୍ୟ ଭ୍ୟାକ୍ସିନ ନନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏହି ଆଦେଶରେ ଜିଲ୍ଲାର ପ୍ରାୟ ୫ ହଜାର କର୍ମଚାରୀ ପ୍ରଭାବିତ ହେବେ।  ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜେଶ ରାଜୌରା କହିଛନ୍ତି, ଏହି ଧରଣ ଆଦେଶ ସମ୍ବନ୍ଧରେ ଗୃହ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ଏମିତି ଆଦେଶ ଜାରି ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

ଦତିଆ  ଜିଲ୍ଲାପାଳ ସଞ୍ଜୟ କୁମାର କହିଛନ୍ତି, ପ୍ରଶ୍ନ ଭ୍ୟାକ୍ସିନ ଅଭାବ ନୁହେଁ। ଏମିତି ଆଦେଶ ଜାରି କରିବାର ଉଦ୍ଦେଶ୍ୟ, ଲୋକେ ପ୍ରଥମ ଡୋଜ୍ ନେବା ପରେ ଦ୍ଵିତୀୟ ଡୋଜ୍ ନେଉ ନାହାନ୍ତି। ଯଦି ଖୋଦ୍ କର୍ମଚାରୀ ଲଗାଇବେ ନାହିଁ ତେବେ ଏହା ସମାଜକୁ ଭୁଲ୍ ସନ୍ଦେଶ ଯିବ। ଦରମା ବନ୍ଦ ପ୍ରଶ୍ନ ଉପରେ ସେ କହିଛନ୍ତି, ଏହି ଆଦେଶକୁ ରଦ୍ଦ କରିବା ଉପରେ ବିଚାର କରାଯିବ।

Spread the love