ସ୍ବୟଂଶାସିତ ପାହ୍ୟା ଶେଷ ଓ ନବୀକରଣ ନେଇ ବିଜେବି କଲେଜକୁ ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଭୁବନେଶ୍ବରସ୍ଥିତ ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ନୋଟିସ୍‌ ଜାରି କରିଛି। ଉଚ୍ଚଶିକ୍ଷା ବିଭାଗର ସଂଯୁକ୍ତ ସଚିବ ସ୍ନିଗ୍ଧା ଚମ୍ପତିରାୟ ବିଜେବି କଲେଜର ଅଧ୍ୟକ୍ଷଙ୍କୁ ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିନଥିବାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଏଥିରେ ସେ କହିଛନ୍ତି ୨୦୨୨ ଡିସେମ୍ବର ୩୧ ତାରିଖ ଠାରୁ ସ୍ବୟଂଶାସିତ ପାହ୍ୟା ଶେଷ ହେବା ସହିତ ନବୀକରଣ ପଦକ୍ଷେପ ନିଆଯାଇନି।  ବାରମ୍ବାର ତାଗିଦ ସତ୍ତ୍ୱେ ନାକ୍‌ ଆକ୍ରେଡିସନ କାମ ବାକି ପଡ଼ିଛି। ସେହିପରି ଗଭର୍ଣ୍ଣିଂ ବଡ଼ି ପୁନଃ ଗଠନ ପାଇଁ କଲେଜରୁ ପ୍ରସ୍ତାବ ମିଳିପାରିନି ବୋଲି କହିଛନ୍ତି। ଏନେଇ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ହୋଇଛି। ବିଜେବି କଲେଜ ଅଧ୍ୟକ୍ଷ ଗୁଲାମ ମୋଇନୁଦ୍ଦୀ ଖାନ କହିଛନ୍ତି, ଆମର ସବୁ ଜିନିଷ ବର୍ତ୍ତମାନ ପ୍ରକ୍ରିୟାରେ ଚାଲିଛି। ଆମେ ନାକ୍‌କୁ ରିପୋର୍ଟ ଦେଇଛୁ। ଏବେ ସେ ରିପୋର୍ଟକୁ ମୋଡିଫାଏ କରୁଛୁ। ଆମେ ୟୁଜିସି ଓ ଅଟୋନମି ପାଇଁ ଗୋଟିଏ ଷ୍ଟେପ ପ୍ରୋସେସ ସରିଛି। ଉତ୍କଳ ୟୁନିଭରସିଟି ଗୋଟେ ଟିମ ଆସି ଭେରିଫିକେସନ କରି ସାରିଛନ୍ତି। ସେ ଜିନିଷ ଏବେ ୟୁଜିସିକୁ ଯାଉଛି। ତାପରେ ସେମାନେ ଆସିବେ। ଗଭର୍ନିଙ୍ଗ ବଡ଼ି ଗଠନର ପ୍ରକ୍ରିୟା ଚାଲିଛି। ଏସବୁ କଥା ଆମେ ଗୋଟିଏ ଦିନ ଭିତରେ ଉଚ୍ଚଶିକ୍ଷା ବିଭାଗକୁ ଜଣାଇ ଦେବୁ।

Spread the love