ନଭେମ୍ବର ୨୯ରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ ୨୬।୧୦: ସଂସଦରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତକାଳୀନ ଅଧିବେଶନ ନଭେମ୍ବର ଶେଷ ସପ୍ତାହ ଆଡକୁ ଆରମ୍ଭ ହୋଇପାରେ। ଅଧିବେଶନରେ ପ୍ରାୟ ୨୦ ବୈଠକ ହେବାର ସମ୍ଭାବନା ରହିଛି। ଅଧିବେଶନ କ୍ରିସମସ ପୂର୍ବରୁ ସମାପ୍ତ ହେବ। ହେଲେ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇ ନାହିଁ। ଜନୈକ ଅଧିକାରୀ କହିଛନ୍ତି, ନଭେମ୍ବର ୨୯ରୁ ଅଧିବେଶନ ଆରମ୍ଭ ହୋଇପାରେ ଏବଂ ଡିସେମ୍ବର ୨୩ ପାଖାପାଖି ସମାପ୍ତ ହୋଇପାରେ। ଅଧିବେଶନରେ ଆର୍ଥିକ କ୍ଷେତ୍ର ସମ୍ବନ୍ଧିତ ଦୁଇ ଗୁରୁତ୍ଵପୂର୍ଣ୍ଣ ବିଧେୟକ ଆଗତ କରାଯିବ।

ମହାମାରୀକୁ ଦୃଷ୍ଟିରେ ରଖି ସଂସଦର ଶୀତକାଳୀନ ଅଧିବେଶନ ଗତ ବର୍ଷ ଆୟୋଜିତ ହୋଇନଥିଲା। ଏହା ପରେ ବଜେଟ୍ ଓ ମୌସୁମି ଅଧିବେଶନର ଅବଧି କୋଭିଡ୍ କାରଣରୁ ହ୍ରାସ କରାଯାଇଥିଲା। ହେଲେ ଲୋକସଭା ଓ ରାଜ୍ୟସଭାରେ ଶୀତକାଳୀନ ଅଧିବେଶନ ସମାନ ସମୟରେ ଚାଲିବ। ସମସ୍ତ ସଦସ୍ୟ କୋଭିଡ୍ ନିୟମ ପାଳନ କରିବେ। ଗତ କିଛି ଅଧିବେଶନରେ ଦୁଇ ସଦନର ଗୃହକାର୍ଯ୍ୟ ଅଲଗା ଅଲଗା  ସମୟରେ ହେଉଥିଲା। କରୋନା ସମୟରେ ସଂସଦ ପରିସରରେ ଅଧିକ ଲୋକଙ୍କ ଉପସ୍ଥିତି କମ କରିବା ପାଇଁ ଏମିତି ନିଷ୍ପତ୍ତି ନିଆଯାଇଥିଲା।

ଶୀତକାଳୀନ ଅଧିବେଶନରେ ପରିସର ଏବଂ ମୁଖ୍ୟ ସଂସଦ ଭବନରେ ପ୍ରବେଶ ସମୟରେ ମାସ୍କ ପିନ୍ଧିବା ଜରୁରୀ। ଏଥର ଶୀତକାଳୀନ ଅଧିବେଶନର ବିଶେଷତ୍ଵ ହେଉଛି, ରାଜନୈତିକ ଭାବେ ମହତ୍ଵପୂର୍ଣ୍ଣ ଉତ୍ତର ପ୍ରଦେଶ ସହିତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ କିଛି ମାସ ପୂର୍ବରୁ ହେବାକୁ ଯାଉଛି। ଏହି ନିର୍ବାଚନକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମି ଫାଇନାଲ୍ ରୂପେ ଦେଖାଯାଉଛି।

Spread the love