ଏବେ ଭାରତ ତିଆରି କରିବ ୧୦୦ ଲଢୁଆ ବିମାନ
ନୂଆଦିଲ୍ଲୀ: ମେକ ଇନ ଇଣ୍ଡିଆକୁ ଗତି ଦେବା ପାଇଁ ଭାରତୀୟ ବାୟୁସେନା ଭାରତରେ ପ୍ରାୟ ୧୦୦ ଆଡଭାନ୍ସ ଲଢୁଆ ଜେଟ୍ ତିଆରି କରିବାକୁ ଯୋଜନା କରୁଛି । ଏହି ଯୋଜନା ପାଇଁ ବାୟୁସେନା ଗ୍ଲୋବାଲ ବିମାନ ନିର୍ମାତାଙ୍କ ସହିତ ଆଲୋଚନା ଆରମ୍ଭ କରି ଦେଇଛି । ସେନାର ଉଚ୍ଚ ସରକାରୀ ସୂତ୍ର ଅନୁଯାୟୀ, ପ୍ରଥମ ଥର ପ୍ରୋଜେକ୍ଟର ପ୍ରାୟ ୭୦ ପ୍ରତିଶତ ପୈଠ ଭାରତୀୟ ମୁଦ୍ରାରେ କରାଯିବ । ଏହି ଯୋଜନା ଆଧାରରେ ଭାରତରେ ୯୬ ବିମାନ ତିଆରି କରାଯିବ । ଏଥିରୁ ୩୬ ବିମାନର ପୈଠ ଭାରତୀୟ ଏବଂ ବିଦେଶୀ ମୁଦ୍ରାରେ କରାଯିବ । ୬୦ ବିମାନର ପୈଠ କେବଳ ଭାରତୀୟ ମୁଦ୍ରାରେ ହିଁ କରାଯିବ ।
୧୧୪ ବିମାନ କିଣିବାକୁ ଯୋଜନା
ଭାରତୀୟ ବାୟୁସେନା ୧୧୪ ଲଢୁଆ ବିମାନ କିଣିବାକୁ ଯୋଜନା କରୁଛି । ଏଥିରେ ସେନାର ଲଢୁଆ କ୍ଷମତା ବଢିବ । ଏଥିସହ ମିଗ୍ ସିରିଜର ବିମାନରେ ପରିବର୍ତ୍ତନ କରାଯିବ । ପ୍ରୋଜେକ୍ଟ ଆରମ୍ଭରେ ୧୮ ବିମାନ ବିଦେଶୀ ଭେଣ୍ଡରଙ୍କଠୁ ନିଆଯିବ । ଏହି ସବୁ ବିମାନକୁ ପ୍ରଥମେ ପରୀକ୍ଷଣ କରାଯିବ । ଏହା ପରେ ସବୁ ମାନଦଣ୍ଡକୁ ଦୃଷ୍ଟିରେ ରଖି ଚୟନ କରାଯିବ । ଏହି ପ୍ରୋଜେକ୍ଟ ପାଇଁ ଦୌଡରେ ଅଛନ୍ତି ବୋଇଙ୍ଗ, ଲକହିଡ୍ ମାର୍ଟିନ, ଏମଆଇଜି, ଡସାଲ୍ଟ ଏବଂ ସାବ ପରି କମ୍ପାନୀ । ପ୍ରୋଜେକ୍ଟ ତିନି ବର୍ଷରେ ପୂରା ହେବାର ଆଶା କରାଯାଉଛି ।