ବ୍ରାହ୍ମଣଙ୍କୁ ଅପଶବ୍ଦ କହି ଗାଳି ଦେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଞ୍ଝୀ

ପାଟନା ୧୯।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚା(ହମ)ର ଜାତୀୟ ଅଧ୍ୟକ୍ଷ ଜିତନରାମ ମାଞ୍ଝୀ ନିଜର ବିବାଦକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ଗତ ଦିନରେ ସେ ମଦ ମୁକ୍ତ ଉପରେ ପ୍ରଶ୍ନ ଉଠାଇଥିଲେ। ଏବେ ସେ ପଣ୍ଡିତଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ପାଟନାରେ ଏକ କାର୍ଯ୍ୟକ୍ରମରେ ସେ ପଣ୍ଡିତଙ୍କ ପାଇଁ ଅପଶବ୍ଦର ପ୍ରୟୋଗ କରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ  ଭାଇରାଲ୍ ହେଉଛି।

ଶନିବାର ସନ୍ଧ୍ୟାରେ ମାଞ୍ଝୀ ପାଟନାରେ ଭୂୟାଁ ମୁସହର ସମ୍ମିଳନୀରେ ଅତିଥି  ଭାବେ ଯୋଗ ଦେଇଥିଲେ। ନିଜ ଭାଷଣରେ ସେ ପଣ୍ଡିତଙ୍କୁ ନେଇ ଅପଶବ୍ଦ ପ୍ରୟୋଗ କରିଛନ୍ତି। ସେ ଧର୍ମ ନାମରେ ହେଉଥିବା ରାଜନୀତି ପ୍ରସଙ୍ଗ ଉଠାଇଥିଲେ। ଏହି ସମୟରେ ହିଁ ସେ ବ୍ରାହ୍ମଣମାନଙ୍କୁ ନେଇ ମର୍ଯ୍ୟାଦାହୀନ ଶବ୍ଦ କହିଛନ୍ତି।

କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି ମାଞ୍ଝୀ କହିଛନ୍ତି, ଆଜିକାଲି ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ଧର୍ମ ପରାୟଣଭାବନା ଅଧିକ ଜାଗିବାରେ ଲାଗିଛି। ସତ୍ୟନାରାୟଣ ପୂଜାର ନାମ ଆମେ ଜାଣିନଥିଲୁ। ଏବେ ପ୍ରତି ସାହିରେ ସତ୍ୟନାରାୟଣ ଭଗବାନଙ୍କ ପୂଜା ହେଉଛି। ତେବେ ପୂଜାରେ ପଣ୍ଡିତ ଆସନ୍ତି ଏବଂ କୁହନ୍ତି ଆପଣଙ୍କଠାରେ ଆମେ କିଛି ଖାଇବୁ ନାହିଁ, ବାସ୍ କେବଳ କିଛି ନଗଦ ଦେଇ ଦିଅନ୍ତୁ।

ମାଞ୍ଝୀଙ୍କ ଏହି ବୟାନକୁ ନେଇ ବିବାଦ ଦେଖା ଦେଇଛି। ତାଙ୍କ ପାର୍ଟିର ମୁଖପାତ୍ର ଦାନିଶ ରିଜଓ୍ଵାନ ମାଞ୍ଝୀଙ୍କୁ ବଞ୍ଚାଇବା ପାଇଁ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି ମାଞ୍ଝୀଙ୍କ ବୟାନକୁ ରଞ୍ଜିତ କରି ଉପସ୍ଥାପନ କରାଯାଉଛି। ସମସ୍ତ ସଂପ୍ରଦାୟ ଓ ଜାତିଙ୍କ ପ୍ରତି ତାଙ୍କର ଆସ୍ଥା ରହିଛି। ମାଞ୍ଝୀ ସେହି ବ୍ରାହ୍ମଣଙ୍କ ବିରୋଧ କରିଛନ୍ତି, ଯେଉଁମାନେ ଲୋକଙ୍କ ଘରେ ଖାଆନ୍ତି ନାହିଁ, କିନ୍ତୁ ପଇସା ନେବାକୁ ଭୁଲନ୍ତି ନାହିଁ।  

Spread the love