ମନମୋହିଲା ପଶ୍ଚିମ ଓଡ଼ିଶାର କଳାକାରମାନଙ୍କ ଦ୍ୱାରା ପରିବେଷିତ ଲୋକନୃତ୍ୟ

ଭୁବନେଶ୍ୱର,୨୫/୦୯/୨୦୨୩: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗତକାଲି ରବିନ୍ଦ୍ରମଣ୍ଡପଠାରେ ନୂଆଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ  ଅଶ୍ୱିନୀ କୁମାର ପାତ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଭୁବନେଶ୍ୱର ମେୟର  ସୁଲୋଚନା ଦାସ, ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା  ଶ୍ରୀମୟୀ ଶେ୍ୱତାସ୍ନି ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସତ୍ୟବ୍ରତ ସାହୁ, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ  ଦିଲୀପ ରାଉତରାଏ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି  ମନ୍ମଥ କୁମାର ଶତପଥୀ, ସଚିବ  ପ୍ରବୋଧ ରଥ ପ୍ରମୁଖ ଯୋଗଦେଇଥିଲେ । ନୂଆଖାଇ ପର୍ବ ପାଳନର ସ୍ୱତନ୍ତ୍ରତା ତଥା ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ବିଶେଷ ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ । ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷିଭିତ୍ତିକ ପର୍ବ ନୂଆଖାଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ବିଶେଷତ୍ୱ । ଏହି ପର୍ବ ସହ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଲୋକକଳା, ଲୋକବାଦ୍ୟ ଓ ଲୋକସଂସ୍କୃତିର ପ୍ରଚାରପ୍ରସାର ସହ ଏହାକୁ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ପ୍ରତିବର୍ଷ ଏପରି ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଡାଲ୍‌ଖାଇ, ଦୁଲ୍‌ଦୁଲି, ଘୁମର୍‌, ଦଣ୍ଡନାଚ, ବଜାଶାଲ୍‌, ମାନ୍ଦଲିଆ ଓ କରମାନଜ ନୃତ୍ୟ ପରିବେଷିତ ହୋଇଥିଲା । ଲୋକନୃତ୍ୟର ତାଳେ ତାଳେ ମଞ୍ଚ ଦୁଲିକି ଉଠିବା ସହ ଏହା ଦର୍ଶକମାନଙ୍କୁ ଅଭିଭୂତ କରିଥିଲା ।

Spread the love