ପୁଷ୍ଟିକର ଖାଦ୍ୟ ଅଭାବ; ଅଧା ମହିଳାଙ୍କୁ ରକ୍ତହୀନତା
ରାୟଗଡ଼ା: ବଡ଼ ସ୍ବାସ୍ଥ୍ୟଗତ ସମସ୍ୟା ସହ ଯୁଝୁଛନ୍ତି ରାୟଗଡ଼ା ଜିଲ୍ଲାର ଅଧାରୁ ଅଧିକ ମହିଳା। ପୁଷ୍ଟିକର ଖାଦ୍ୟ ଅଭାବରୁ ମହିଳାମାନେ କ୍ରମାଗତ ଦୁର୍ବଳ ହେବାରେ ଲାଗିଛନ୍ତି। ଯାହାର ପ୍ରଭାବରେ ଆଗାମୀ ଦିନରେ ପ୍ରଜନନ ହାର କମିବ କିମ୍ବା ଦୁର୍ବଳ ଶିଶୁ ଜନ୍ମନେବେ ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି। ଅପହଞ୍ଚ ସରକାରୀ ଯୋଜନା ହିଁ ଏହି ବିଷମ ପରିସ୍ଥିତି ପାଇଁ ଦାୟୀ।
ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ମୋଟ ଜନସଂଖ୍ୟାର ପାଖାପାଖି ୬୦ ପ୍ରତିଶତ ଅନୁସୂଚିତ ଜନଜାତି ଏବଂ ୧୦ପ୍ରତିଶତରୁ ଅଧିକ ହେଉଛନ୍ତି ଅନୁସୂଚିତ ଜାତି ବର୍ଗର। ସେହିପରି ଜନସଂଖ୍ୟାର ୫୧ପ୍ରତିଶତ ମହିଳା ହୋଇଥିଲା ବେଳେ ୪୯ ପ୍ରତିଶତ ପୁରୁଷ। ଅଧାରୁ ଅଧିକ ଜନସଂଖ୍ୟା ମହିଳା ହୋଇଥିଲେ ସୁଦ୍ଧା ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି କିମ୍ବା ଅବହେଳାର ଶିକାର ହୋଇଛନ୍ତି। ଜିଲ୍ଲାରେ ମହିଳାଙ୍କ ସାକ୍ଷରତା ହାର ମାତ୍ର ୩୫ପ୍ରତିଶତ। ସରକାରୀ ତଥ୍ୟ ଅନୁସାରେ ମୋଟ ମହିଳାଙ୍କ ମଧ୍ୟରୁ ଅର୍ଦ୍ଧାଧିକ ରକ୍ତହୀନତାର ଶିକାର। ଏଥିରେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ମଧ୍ୟ ରହିଛନ୍ତି। ପରିପୂରକ ପୁଷ୍ଟିକର ଖାଦ୍ୟ ଅଭାବରୁ ଏତେ ସଂଖ୍ୟକ ମହିଳା ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। କାରଣ ଜିଲ୍ଲାର ସିଂହଭାଗ ଲୋକ ଗରିବ ସୀମାରେଖା ତଳେ ରହିଛନ୍ତି। ପୁଷ୍ଟିକର ଖାଦ୍ୟ ଯୋଗାଡ଼ କରିବା ସେମାନଙ୍କ ପାଇଁ ସମ୍ଭବ ନୁହେଁ। ଏଥିପାଇଁ ସରକାରୀ ଯୋଜନା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ତେବେ ସରକାରୀ ଯୋଜନାରେ ଯେଉଁ ଖାଦ୍ୟ ଦିଆଯାଉଛି ତାହା ବି ନିମ୍ନମାନର। ଗତଦିନରେ ଛତୁଆ ମାନ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇସାରିଛି।
ଉଦ୍ବେଗର ବିଷୟ ହେଲା ଜିଲ୍ଲାର ମହିଳାମାନେ ନିଜ ସ୍ବାସ୍ଥ୍ୟର ଯତ୍ନ କିଭଳି ନେବେ ସେଥିପ୍ରତି ସଂପୂର୍ଣ୍ଣ ଅଜ୍ଞ। ଅନ୍ୟପଟେ ଅଶିକ୍ଷିତ ମହିଳାଙ୍କୁ କିଭଳି ସଚେତନ କରାଯିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇନି। ଜିଲ୍ଲାର ୩୦୦୦ରୁ ଅଧିକ ଗାଁ ମଧ୍ୟରୁ ୮୦୦ରୁ ଅଧିକ ଗାଁକୁ ଗମନାଗମନ ସୁବିଧା ନାହିଁ। ବର୍ଷା ଦିନେ ୧୫୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛି। ତେଣୁ ଗର୍ଭବତୀ ଓ ପ୍ରସୂତି ମାସ ମାସ ଧରି ବିପଦରେ ରହୁଛନ୍ତି। ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉନଥିବାରୁ ଦିଶାରୀ ତଥା ପାରଂପରିକ ଚିକିତ୍ସା ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛନ୍ତି। ଯେଉଁଠି ମହିଳାମାନେ ପୋଷଣଯୁକ୍ତ ଖାଦ୍ୟ ପାଉନାହାନ୍ତି ଶିଶୁଙ୍କୁ କେମିତି ମିଳିବ ବୋଲି ପ୍ରଶ୍ନ ଉଠିଛି। ତେଣୁ ଜନ୍ମ ନେଉଥିବା ଶିଶୁ ମଧ୍ୟ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ନଭେମ୍ବର ମାସ ସୁଦ୍ଧା ୭୩୨ଜଣ ଶିଶୁ ଅତିଶୟ ଅପପୁଷ୍ଟି ଏବଂ ୨୬୮୪ ଜଣ ଶିଶୁ ମଧ୍ୟମ ଅପପୁଷ୍ଟିର ଶିକାର ହୋଇଥିବା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ଶୂନରୁ ୫ବର୍ଷ ମଧ୍ୟରେ ୧୪୫୫୮ ଶିଶୁଙ୍କ ବୟସ ତୁଳନାରେ ଓଜନ କମ୍ ଏବଂ ୩୦୪୬୦ ଶିଶୁଙ୍କ ବୟସ ଅନୁସାରେ ଉଚ୍ଚତା ବଢ଼ୁନଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ ହୋଇଛି। ସେହିଭଳି ୫ରୁ ୬ବର୍ଷ ମଧ୍ୟରେ ୩୯୬୩ ଶିଶୁଙ୍କ ଓଜନ କମ୍ ଏବଂ ୫୨୧୭ ଶିଶୁଙ୍କ ଉଚ୍ଚତା ବଢ଼ୁ ନଥିବା ରିପୋର୍ଟରୁ ଜଣାପଡିଛି।
ଉପରୋକ୍ତ ତଥ୍ୟରୁ ସରକାରୀ ଯୋଜନା କିଭଳି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ତାହାର ସ୍ପଷ୍ଟ ସଂକେତ ମିଳୁଛି। ବାଟମାରଣା ହେଉ କିମ୍ବା ଉଦାସୀନତା କାରଣରୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚିପାରୁନି। ଯଦି ତୃଣମୂଳସ୍ତରରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବ ନାହିଁ ତାହାହେଲେ କିଛି ବର୍ଷ ମଧ୍ୟରେ ସଂପୂର୍ଣ୍ଣ ଜିଲ୍ଲା ରୋଗଣା ହୋଇଯିବା ନିଶ୍ଚିତ।