ଓବିସିମାନଙ୍କୁ ସେମାନଙ୍କ ଅଧିକାର ମିଳୁଛି କି ନାହିଁ, ସେ ନେଇ ତଦାରଖ କରିବେ ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ

ଭୁବନେଶ୍ବର ୨।୯: ଓବିସିମାନଙ୍କୁ ସେମାନଙ୍କ ଅଧିକାର ମିଳୁଛି କି ନାହିଁ, ସେ ନେଇ ତଦାରଖ କରିବେ ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ କୌଶଳେନ୍ଦ୍ର ସିଂହ ପଟେଲ । ପଛୁଆ ବର୍ଗର ବିଭିନ୍ନ ସଙ୍ଗଠନ ସେମାନଙ୍କ ସମସ୍ୟା ବିଷୟରେ ବୈଠକରେ ଜଣାଇଛନ୍ତି । କମିଶନ ସଦସ୍ୟ ସମସ୍ତ ପ୍ରସଙ୍ଗ ଶୁଣିଛନ୍ତି । ଓଡିଶାରେ ଓବିସିମାନଙ୍କ ଅଧିକାର ଓ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ ।

ସେପଟେ ଜାତୀୟ ଓବିସି କମିଶନ ସଦସ୍ୟଙ୍କୁ ଭେଟିଲା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା । ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳଙ୍କ ନେତୃତ୍ବରେ କମିଶନ ସଦସ୍ୟଙ୍କୁ ଭେଟିଛନ୍ତି ପ୍ରତିନିଧି ଦଳ । ସେହିପରି ସମାଜବାଦି ପାର୍ଟି, ଖଡୁରା ସମାଜ କଲ୍ୟାଣ ପରିଷଦ ଏବଂ ଓଡ଼ ଖଣ୍ଡାୟତ ବର୍ଗର ସଦସ୍ୟମାନେ କମିଶନଙ୍କୁ ଦାବିପତ୍ର ଦେଇଛନ୍ତି ।

ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି, ମଣ୍ଡଳ କମିଶନ ସୁପାରିଶ ଉପରେ ପଛୁଆ ବର୍ଗଙ୍କୁ ସୁବିଧା ମିଳୁନାହିଁ । ବିଜେଡ଼ି ଓବିସିମାନଙ୍କୁ ଭୁଆଁ ବୁଲାଉଛି । ସରକାର ପଛୁଆବର୍ଗଙ୍କୁ ସେମାନଙ୍କ ଦାବି ମିଳିବା ପାଇଁ ଚେଷ୍ଟା କରୁନାହାନ୍ତି । ଶିକ୍ଷା ଓ ସରକାରୀ ଚାକିରୀ କ୍ଷେତ୍ରରେ ୧୧.୨୫ % ସଂରକ୍ଷଣ ମଧ୍ୟ ଦେଉନାହାନ୍ତି, ଓବିସି ଫାଇନାନ୍ସ କମିଶନ ଦ୍ବାରା ମଧ୍ୟ ଆର୍ଥିକ ସହାୟତା ପଛୁଆ ବର୍ଗଙ୍କୁ ମିଳୁନାହିଁ । ଓଡିଶା ଓବିସି କମିଶନ ଗଠନ ପରେ ମଧ୍ୟ କୌଣସି କାମ କରୁନାହାନ୍ତି । ଯାହା ସମ୍ବିଧାନରେ ଅଛି, ସେତିକି ଦେଉନାହାନ୍ତି । କେନ୍ଦ୍ର ସରକାର ଡାକ୍ତରୀ ଶିକ୍ଷାରେ ସଂରକ୍ଷଣ ଦେଲେ, କିନ୍ତୁ ରାଜ୍ୟ ସରକାର ଚୁପ୍ ଅଛନ୍ତି । ରାଜ୍ୟ ସରକାର ବିଭିନ୍ନ ବାହାନା ଦେଖାଇ ଚାଲିଛନ୍ତି । ୨୧୦ ଜାତି ତାଲିକା ଅଛି । ଏକାଧିକ ରାଜ୍ୟରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ଅଛି । କିନ୍ତୁ ରାଜ୍ୟ ସରକାର ହାଇକୋର୍ଟରେ କୌଣସି ଦାବି ରଖିଲେ ନାହିଁ । ସମ୍ବିଧାନରେ ଥିବା ଅଧିକାର ଓବିସିମାନଙ୍କୁ ଦେଉନାହାନ୍ତି ରାଜ୍ୟ ସରକାର ।

Spread the love