ଓବିସି ବର୍ଗଙ୍କ ଧର୍ଯ୍ୟ ପରୀକ୍ଷା କରୁଛନ୍ତି ବିଜେଡି ସରକାର : ସୁରଥ ବିଶ୍ୱାଳ

ଭୁବନେଶ୍ୱର, ତା.୦୭/୧୦: ରାଜ୍ୟ ବିଜେଡି ସରକାର ଗରୀବ, ଦୁର୍ବଳ, ବଂଚିତ ଓ ପଛୁଆ ବର୍ଗଙ୍କୁ କ୍ରମାଗତଭାବେ ମିଛ ବାହାନା ଦେଖାଇ ସମୟ ଗଡାଇ ଚାଲିଛନ୍ତି ଏବଂ ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ ମଧ୍ୟ କରୁଛନ୍ତି । ବିଧାନସଭାରେ ପଛୁଆବର୍ଗଙ୍କ ସର୍ଭେ କରିବେ ବୋଲି ଲୋକଦେଖାଣିଆ ସଂକଳ୍ପ ପାରିତ କରି ନୀରବରେ ବସିଗଲେ ରାଜ୍ୟ ସରକାର । ୨୦୨୨ ପଂଚାୟତ ଓ ପୌରନିର୍ବାଚନରେ ଏହି ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରାଇଲେ । ଚଳିତବର୍ଷ ବହୁ ପ୍ରଚାରିତ ଓବିସି ସର୍ଭେ ଯାହା ପାଇଁ ସରକାରଙ୍କର ଆଦୌ ଆନ୍ତରିକତା ନଥିଲା ଏବେ ତାକୁ ବିବାଦୀୟ କରି ରଖିବାକୁ ଚାହାନ୍ତି । ମେ ୧ ରୁ ୨୭ପର୍ଯ୍ୟନ୍ତ ହୋଇଥିବା ଓବିସି ସର୍ଭେକୁ ୬ମାସ ପୂର୍ଣ୍ଣ ହୋଇଥିଲେ ବି ରାଜ୍ୟ ସରକାର ଏସମ୍ପର୍କରେ କିଛି ସ୍ପଷ୍ଟ କଲେ ନାହିଁ । ଗଣମାଧ୍ୟମରେ ଏମାନଙ୍କ ସଂଖ୍ୟା ୩୯,୪୧, ୪୩ ପ୍ରତିଶତ ଆସୁଛି କେଉଁଠୁ? ପଛୁଆ ବର୍ଗଙ୍କ ସଂଖ୍ୟାକୁ ନେଇ ରାଜନୀତି ନକରନ୍ତୁ ରାଜ୍ୟ ସରକାର । ମେ ମାସରେ ରାଜ୍ୟ ସରକାର ଯେଉଁ ସର୍ଭେ କରିଥିଲେ କାହା ଉପରେ ହୋଇଥିଲା । ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ହେଉଛି ଏଥିରେ ସଂଖ୍ୟା କେଉଁଠୁ ଆସିଲା । ରାଜ୍ୟ ସରକାରଙ୍କ ସର୍ଭେ ତ୍ରୁଟି ଯୁକ୍ତ, ସର୍ଭେ ପାଇଁ ଜାତିବର୍ଗ ତାଲିକା ଚୁଡାନ୍ତ ନଥିଲା । ୨୨ଟି ଜାତିବର୍ଗଙ୍କୁ ରାଜ୍ୟ ସରକାର ଯୋଡିଲେ ବୋଲି ଘୋଷଣା କଲେ, କିନ୍ତୁ ସେଥିମଧ୍ୟରୁ ସବୁବର୍ଗ ସ୍ଥାନିତ ହୋଇନାହିଁ ବୋଲି ଓବିସିମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ୫୪ଭାଗ ପଛୁଆବର୍ଗଙ୍କ ଧର୍ଯ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି କି ସରକାର? ରାଜ୍ୟ ସରକାର ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇ ଜନତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହୁଁଛନ୍ତି କି? ସର୍ଭେକୁ ଅନ୍‌ଲାଇନ କରିବାକୁ କହୁଛ, ଘରର ମୂରବୀ ନଥିଲେ ସର୍ଭେ ହେବନି କହୁଥିବାବେଳେ ଯେଉଁମାନେ ବାହାରେ ରହୁଛନ୍ତି ତାଙ୍କର ସର୍ଭେ କଲା କିଏ ? ଗରୀବ, ଦୁର୍ବଳ, ପଛୁଆ, ଦଳୀତ, ଅର୍ଥନୈତିକ ଅନଗ୍ରସର ଲୋକଙ୍କ ବିରୋଧୀ ରାଜ୍ୟ ସରକାର । ତାଙ୍କ ପାଇଁ ରାଜ୍ୟ ସରକାର ଆଦୌ ସାହାଯ୍ୟ କିମ୍ବା ସହଯୋଗ କରିବାକୁ ଚାହୁଁନାହାନ୍ତି । ରାଜ୍ୟ ଓବିସି କମିଶନ ୨୦ତାରିଖରୁ ରିପୋର୍ଟ ଦେବା ପରେ ବି ରାଜ୍ୟ ସରକାର କାହିଁକି ନିରବ ରହିଛନ୍ତି? ରାଜ୍ୟ ସରକାର କ୍ରମାଗତଭାବେ ସଂଖ୍ୟାଧିକ ବର୍ଗଙ୍କୁ ଉପକ୍ଷା କରିଚାଲିଛନ୍ତି ତାହା ଆଉ ଚାଲିପାରିବ ନାହିଁ । ଯେଉଁମାନେ ସର୍ଭେ ନାଁରେ ବାହାନା ଦେଖାଇ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଉଛନ୍ତି ଜନତା ଏହାର ଜବାବଦେବେ । ତ୍ରୁଟିଯୁକ୍ତ ସର୍ଭେ ସମ୍ପର୍କରେ ସରକାର ସ୍ପଷ୍ଟ ମତ ରଖନ୍ତୁ ଏବଂ ଆଉ ଥରେ ତୃଟିଶୂନ୍ୟଭାବେ ଏହା କରାଇବେ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

Spread the love