ନିଯୁକ୍ତି ପାଇଲେ 153 ଜଣ OCS

ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)ରେ କୃତକାର୍ଯ୍ୟ ହୋଇଥିବା ୧୫୩ ଜଣ ଅଧିକାରୀ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବ ନିଯୁକ୍ତ ଅଧିକାରୀମାନଙ୍କ ସହ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଓରିଏଣ୍ଟସନ ପ୍ରୋଗ୍ରାମରେ ସାମିଲ ହୋଇଥିଲେ ।ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଇ-ଡାଏରୀକୁ ଉନ୍ମୋଚନ କରିଥିଲେ, ଯାହାକୁ ସମସ୍ତେ ନିଜ ମୋବାଇଲରେ ଦେଖିପାରିବେ ।ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ପ୍ରଶାସନିକ ସେବା କେବଳ ଏକ ବୃତ୍ତି ନୁହେଁ, ଏହା ସାଧାରଣ ଜନତା ଓ ମାତୃଭୂମିର ସେବା କରିବାର ଏକ ବଳିଷ୍ଠ ମାଧ୍ୟମ ।ପ୍ରଶାସନିକ ଅଧିକାରୀଙ୍କର ପ୍ରତ୍ୟେକ ପଦକ୍ଷେପ ଜନସାଧାରଙ୍କ ସହ ଯୋଡ଼ି ହେବାରେ ସାହାଯ୍ୟ କରେ ।ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି ଜନସାଧାରଣଙ୍କ ଉପରୁ ବିଶ୍ୱାସ ହରାଇବା ଅନୁଚିତ। ସମାଜର କଲ୍ୟାଣ କ୍ଷେତ୍ରରେ ଗରିବ ଲୋକଙ୍କ ବହୁତ ଯୋଗଦାନ ରହିଛି । ଯୁବ ଅଧିକାରୀଙ୍କ କଠିନ ପରିଶ୍ରମ ବଳରେ ଲୋକମାନେ ପ୍ରଶାସନ ପ୍ରତି ଅଧିକ ବିଶ୍ୱାସ କରିବେ ଓ ଏହାଦ୍ୱାରା ରାଜ୍ୟ ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିବ । ଲୋକଙ୍କ ଘରେ ଘରେ ପ୍ରକୃତ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ‘୫ଟି’, ‘ମୋ ସରକାର’ ଭଳି ପରିବର୍ତ୍ତନ ଅଣାଯାଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love