ରୋହିତ କହିଲେ, ୧୨ ବର୍ଷ ତଳର ଇତିହାସ ପୁଣି ଦୋହରେଇବୁ

ହାତରେ ବିଶ୍ୱକପ୍ ଟ୍ରଫି ଧରି ବଡ ବୟାନ ରଖିଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ଦିନିକିଆ ବିଶ୍ୱକପର ଟ୍ରଫିକୁ ହାତରେ ତୋଳି ଧରିବା ସହିତ, ଏଥର ବିଶ୍ୱକପରେ ଟିମ୍ ଇଣ୍ଡିଆ ୧୨ ବର୍ଷ ତଳର ଇତିହାସ ପୁଣି ଦୋହରାଇ ପାରିବ ବୋଲି ରୋହିତ କହିଛନ୍ତି । ଯାହାକି ଭାରତୀୟ ଫ୍ୟାନ୍ସଙ୍କ ଭିତରେ ଉତ୍ସାହ ଭରିଦେଇଛି ।

ଅକ୍ଟୋବରରେ ଭାରତରେ ଖେଳାଯିବାକୁ ଅଛି ଦିନିକିଆ ବିଶ୍ୱକପ୍ । ଏହାପୂର୍ବରୁ ଏବେ ଚାଲିଛି ବିଶ୍ୱକପର ବିଶ୍ୱ ଭ୍ରମଣ । ଏହି କ୍ରମରେ ଅଗଷ୍ଟ ୭ ତାରିଖରେ ବିଶ୍ୱକପ୍ ଟ୍ରଫି ୱେଷ୍ଟଇଣ୍ଡିଜର ବାରବାଡୋସରେ ପହଞ୍ଚିଥିଲା । ଯେଉଁଠି ପ୍ରଥମ କରି ବିଶ୍ୱକପ୍ ଟ୍ରଫିକୁ ହାତ ତୋଳି ଧରିଥିଲେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ଖାଲି ସେତିକି ନୁହେଁ, ବିଶ୍ୱକପ୍ ଟ୍ରଫି ସହିତ ସେ ଫଟୋ ମଧ୍ୟ ଉଠାଇଥିଲେ ।

ଆଇସିସି ସହ କଥା ହେବା ସମୟରେ ରୋହିତ କହିଥିଲେ ଯେ, ଏହା ପୂର୍ବରୁ ସେ କେବେ ବି ଟ୍ରଫିକୁ ଦେଖିନଥିଲେ । ୨୦୧୧ ମସିହାରେ ଭାରତ ବିଶ୍ୱକପ୍ ଜିତିବା ପରେ ମଧ୍ୟ ସେ ଏହାକୁ ଦେଖିନଥିଲେ । ସେତେବେଳେ ସେ ଦଳର ସଦସ୍ୟ ନଥିଲେ । ହେଲେ ଏବେ ଏହା ଖୁବ୍ ସୁନ୍ଦର ଦିଶୁଛି ବୋଲି ରୋହିତ କହିଛନ୍ତି । ଅନ୍ୟପଟେ ଏଥର ଏହି ଟ୍ରଫିକୁ ଆମେ ଉଠାଇପାରିବୁ ବୋଲି ରୋହିତ ଦୃଢତା ଦେଖାଇଛନ୍ତି । ରୋହିତ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୧ ବିଶ୍ୱକପ୍ ସମସ୍ତଙ୍କ ପାଇଁ ସ୍ମରଣୀୟ । ସେ ନିଜେ ଘରେ ବସି ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଦେଖିଥିଲେ । ଆଉ ଏଥର ୧୨ ବର୍ଷ ପରେ ଭାରତ ଏହା ପୁଣିଥରେ କରିପାରିବ ବୋଲି ଟିମ୍ ଇଣ୍ଡିଆର କ୍ୟାପଟେନ୍ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୧ ମସିହା ପରେ ଏଥର ପୁଣିଥରେ ଭାରତରେ ବିଶ୍ୱକପ୍ ଆୟୋଜନ ହେଉଛି । ୨୦୧୧ ମସିହାରେ ଭାରତ ଶେଷ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ତେଣୁ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ପୁଣିଥରେ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଥିବାବେଳେ, ରୋହିତ ମଧ୍ୟ କ୍ୟାପଟେନ୍ ଭାବେ ବିଶ୍ୱକପ୍ ଜିତିବାକୁ ଇଚ୍ଛୁକ ଅଛନ୍ତି ।

Spread the love