ଘରକୁ ଫେରିବାପାଇଁ ଟିକେଟ ଆଣିବାକୁ ଯାଇଥିଲେ ସତ୍ୟବାନ, ପୋଲିସ ମାରିଦେଲା

ଘରକୁ ଫେରିବାକୁ ଫୋନ୍ କରି କହିଥିଲେ । ଟ୍ରେନ୍ ଚଳାଚଳ ଆରମ୍ଭ ହେବା କ୍ଷଣି ସେ ଘରକୁ ଫେରି ଆସିବେ। ଘରକୁ ଫେରିବାକୁ କଥା ଦେଇଥିଲେ ସତ୍ୟବାନ । ହେଲେ କଥା ରଖିବା ସମ୍ଭବ ହୋଇ ନ ଥିଲା । ପୁଲିସ ମାଡ଼ରେ ଶେଷରେ ଜୀବନ ଗଲା । ଏପରି ଘଟିଛି ଭଞ୍ଜନଗର ଅଞ୍ଚଳର ସତ୍ୟବାନ ସ୍ବାଇଁଙ୍କ କ୍ଷେତ୍ରରେ ।

ଅଭିଯୋଗ ଅନୁସାରେ, ଲକ୍ଡ଼ାଉନ ଯୋଗୁଁ ଅସହାୟ ହୋଇ ପଡ଼ିଥିବା ସତ୍ୟବାନ ଓଡ଼ିଶା ଫେରିବାକୁ ବ୍ୟଗ୍ର ଥିଲେ । କାମଧନ୍ଦା ବନ୍ଦ ହୋଇ ଯାଇଥିବାରୁ ଓଡ଼ିଶା ଫେରିବା  ବ୍ୟତୀତ ତାଙ୍କ ପାଖରେ ଆଉ କିଛି ବାଟ ନ ଥିଲା । ତେଣୁ ସେ ଟ୍ରେନ୍ ଟିକେଟ ପାଇଁ ଏକ ଟ୍ରାଭେଲ୍ ଏଜେଣ୍ଟ ପାଖକୁ ଯାଇଥିଲେ । ସେତେବେଳେ ସେଠାରେ ପ୍ରବଳ ଭିଡ଼ ଥିଲା ଓ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ଚାର୍ଜ କରିଥିଲା ।

ମାଡ଼ ଭୟରେ ସତ୍ୟବାନ ଦୌଡ଼ି ଦୌଡ଼ି ଆମ୍ରୋଲି ଥାନା ଅନ୍ତର୍ଗତ ଅଂଜନୀ ଇଣ୍ଡଷ୍ଟ୍ରିଜ ପରିସରରେ ପଶି ଯାଇଥିଲେ । ମାତ୍ର ପୁଲିସ ସେଠାରେ ପହଞ୍ଚିଥିଲା । ସତ୍ୟ ଓ ଅନ୍ୟମାନେ ରହୁଥିବା ଘରର ତାଲା ଭାଙ୍ଗି ସେମାନଙ୍କୁ ନିସ୍ତୁକ ପିଟିଥିଲେ । ଏଥିରେ ସତ୍ୟ ଗୁରୁତର ହୋଇଥିଲେ ଓ ଏକ ଆମ୍ବୁଲାନ୍ସରେ ତାଙ୍କୁ ଡ଼ାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସତ୍ୟବାନଙ୍କ ମୃତ୍ୟୁ ଖବରପାଇ ତାଙ୍କ ପରିବାରଲୋକ ଭାଙ୍ଗି ପଡ଼ିଛନ୍ତି । ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କ ପତ୍ନୀ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହାଛନା ତାଙ୍କ ପରିବାରକୁ କ୍ଷତିପୂରର ପ୍ରଦାନ ପାଇଁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

Spread the love