ଓଡିଶା ସମେତ ଦେଶର ସବୁ ଗ୍ରାମାଂଚଳରେ ସମସ୍ତଙ୍କପାଇଁ ପକ୍କା ଘର ଲକ୍ଷ୍ୟ ହେବ ପୂରଣ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଏୱାଇ-ଜି)କୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ଓଡିଶା ସମେତ ଦେଶର ସବୁ ଗ୍ରାମାଂଚଳରେ ସମସ୍ତଙ୍କ ପାଇଁ ପକ୍କା ଘର ଲକ୍ଷ୍ୟକୁ ପୂରଣ କରିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣକୁ ସମ୍ପ୍ରସାରଣ କରିବା ପାଇଁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପିଏମ ଗ୍ରାମୀଣ ଆବାସ ଯୋଜନାର ସମ୍ପ୍ରସାରଣ ଦ୍ୱାରା ମୋଦି ସରକାରଙ୍କର ମୌଳିକ ସୁବିଧା ସହ ୨.୯୫ କୋଟି ପକ୍କା ଘର ନିର୍ମାଣର ଲକ୍ଷ୍ୟକୁ ହାସଲ କରିବ ।ବଳକା ୧୫୫.୭୫ ଲକ୍ଷ ଘରର ନିର୍ମାଣ ପାଇଁ ମଧ୍ୟ ସହାୟତା ଦିଆଯିବା ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହାବ୍ୟତିତ କେନ୍‌-ବେତ୍ୱା ନଦୀକୁ ସଂଯୋଗ କରିବାର ଯୋଜନାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଛି ା ଏହି ନିଷ୍ପତି ଦ୍ୱାରା ବୁନ୍ଦେଲଖଣ୍ଡ ଅଂଚଳର ସାମାଜିକ ଓ ଆର୍ଥିକ ବିକାଶରେ ଏକ ବଡ ପରିବର୍ତନ ହେବ । ଏହି ପ୍ରକଳ୍ପ ଦ୍ୱାରା ଜଳସେଚନ ସମସ୍ୟା ଦୂର ହେବ । କୃଷି କାର୍ଯ୍ୟ ସହଜ ହେବ ଏବଂ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଉପଲବ୍ଧ ହେବ । ଅଂଚଳର ବିସ୍ଥାପନ ସମସ୍ୟା ଦୂର ହେବା ସହ ଆଗାମୀ ଦିନରେ ଆହୁରି ନଦୀକୁ ସଂଯୋଗୀକରଣ ହେବାର ମାର୍ଗ ପ୍ରଶସ୍ତ କରିବ । ଦେଶର ବିକାଶରେ ପାଣିର ସମସ୍ୟା ନହେଉ, ଏଥିପାଇଁ ମୋଦି ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତିା

Spread the love