ଓଡିଶା ବିଧାନସଭାକୁ ସମ୍ମାନଜନକ ଇ-ଗଭର୍ଣ୍ଣାନସ୍ ପୁରସ୍କାର

ଭୁବନେଶ୍ୱର,୦୪/୦୧: ଓଡ଼ିଶା ବିଧାନସଭାକୁ ସମ୍ମାନଜନକ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍‌ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି । ବିନା କାଗଜରେ ଡିଜିଟାଲ୍‌ ମୋଡ୍‌ରେ ସୂଚାରୁ ରୂପେ ବିଧାନସଭା କାର୍ଯ୍ୟ ପରିଚାଳନାରେ ଓଡ଼ିଶା ବିଧାନସଭା ସମଗ୍ର ଦେଶର ଅଗ୍ରଣୀ ଏବଂ ପଥପ୍ରଦର୍ଶକ ଭୂମିକା ଗ୍ରହଣ କରିଛି । ଏହି ନିରବଚ୍ଛିନ୍ନ ଯାତ୍ରାକୁ ସ୍ୱୀକୃତି ପ୍ରଦାନ କରି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ।
ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦଳଗତ ନେତୃତ୍ୱ ଓ ପ୍ରୋତ୍ସାହନରେ ଏହା ସମ୍ଭବ ହୋଇପାରିଥିବାରୁ ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।

କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ୧୯ତମ ସମ୍ମାନଜନକ ପୁରସ୍କାର ସମାରୋହ ଏମ୍‌ଏନ୍‌ଏନ୍‌ଆଇଟି ଆଲ୍ଲାହାବାଦ ପ୍ରୟାଗରାଜରେ ଆସନ୍ତା ୨୩ରେ ଅନୁଷ୍ଠିତ ହେବ । ଏହି ପୁରସ୍କାର ସମାରୋହରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହ ରାଜ୍ୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରର କବିତା ରାୟ ଦାଶ, ଜାତୀୟ ପ୍ରଯୁକ୍ତି ବିଦ୍ୟା ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ଦିଲ୍ଲୀପ କୁମାର ମାନ୍ଧତା, ସୁଦୀପ୍ତ ସାମନ୍ତ, ଅଶୋକ କୁମାର ବେହେରା ପ୍ରମୁଖ ଯୋଗଦେବେ ।

Spread the love