୨୭୫ କୋଟିରେ ନିର୍ମାଣ ହେବ ବିଧାୟକଙ୍କ ପାଇଁ ଭୂତଳ ପ୍ରାସାଦ, ଅଢେଇ ବର୍ଷରେ ସରିବ ପୁରା କାମ
ଭୁବନେଶ୍ୱର ୧୪।୦୩ : ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ଭୂତଳ ପ୍ରାସାଦ। ଏଥିପାଇଁ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ତେବେ ବିଧାୟକଙ୍କ ପାଇଁ ଭୂତଳ ପ୍ରାସାଦ ନିର୍ମିତ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସି ଚିଫ ଇଞ୍ଜିନିୟରଙ୍କୁ ୫୦ କୋଟି ପ୍ରଦାନ କରାଯାଉଛି । ଅବଶିଷ୍ଠ ୨୨୫ କୋଟି ଟଙ୍କା ଅର୍ଥ ବିଭାଗ ଦେବ। ଏଥିପାଇଁ ବଜେଟରେ ବ୍ୟବସ୍ଥା କରାଯିବ। ବିଧାୟକ କ୍ୱାଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବାଚସ୍ପତି । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।
ଏହି ଅବସରରେ ବାଚସ୍ପତି କହିଛନ୍ତି ଯେ, ବିଧାୟକ କଲୋନୀରେ ଏବେବି ୭ ଜଣ ବିଧାୟକ କ୍ୱାଟର ଛାଡିବେ। ସେମାନଙ୍କ ସହ ଫୋନ ଯୋଗେ ଆଲୋଚନା କରାଯାଇଛି । ଚଳିତ ମାସ ୧୮ରୁ ୨୫ ମଧ୍ୟରେ ସମସ୍ତେ ଘର ଛାଡିବେ । ଏହା ପରେ ପୁରୁଣା ଘର ଭଙ୍ଗାଯିବ। କ୍ୱାଟର ନିର୍ମାଣ ପାଇଁ ଟେଣ୍ଡର ସରିଛି । ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଛନ୍ତି ।
ତେବେ ଆଗାମୀ ୧୫ ଦିନ ମଧ୍ୟରେ ଫାଇନାଲ କରି କାର୍ଯ୍ୟାଦେଶ ଦିଆଯିବ। ମୋଟ ୩୦୦ କ୍ୱାଟର ନିର୍ମାଣ କରାଯିବ । କିଛି କ୍ୱାଟର ୧୧ ମହଲା ହେବାକୁ ଥିବା ବେଳେ କିଛି ୧୦ ମହଲା ହେବ। ତେବେ ୧୩୦ ଟି କ୍ୱାଟର ବିଧାୟକଙ୍କ ପାଇଁ ରହିବ । ଏଥିରେ ୧୦୫ ଟି Type –VII ଓ 25 ଗୋଟି – Type –V କ୍ୱାଟର ରହିବ। ଆଇଏଏସ ଅଧିକାରୀଙ୍କ ପାଇଁ ବି କିଛି କ୍ୱାଟର ରହିବ। ଏହି ବିଲ୍ଡିଂରେ ମାର୍କେର କମ୍ପ୍ଲେକ,ମେଡ଼ିକାଲ ବ୍ୟବସ୍ଥା,୨ ହଜାର ଲୋକ ଭୋଜି ଖାଇବା ପରି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ।