ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ

ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ। ନୂଆଦିଲ୍ଲୀ ପ୍ରଗତି ମୈଦାନରେ କେନ୍ଦ୍ର ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଓଡିଶାକୁ ମିଳିଛି ସ୍ବର୍ଣ୍ଣ ପଦକ। ଦେଶର ସମସ୍ତ ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା ବିଭିନ୍ନ ମନ୍ତ୍ରାଳୟ ଏଥିରେ ଅଂଶଗ୍ରହଣ କରିଥିଲେ। ଓଡିଶା ପାଭିଲିୟନକୁ ପ୍ରଥମ ସ୍ଥାନ ସହିତ ସ୍ବର୍ଣ୍ଣ ପୁରସ୍କାର ମିଳିଛି।

ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଉଦଯାପନୀ ସଭାରେ ପଦକ ଗ୍ରହଣ କରିଛନ୍ତି। ନଭେମ୍ବର ୧୪ରୁ ୨୭ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ମେଳା। ଏଥିରେ ଓଡିଶାର ୭ଟି ବିଭାଗ ପକ୍ଷରୁ ୨୪ ଟି ଷ୍ଟଲ୍ ଖୋଲାଯାଇଥିଲା। ମୁଖ୍ଯତଃ ହସ୍ତତନ୍ତ, ହସ୍ତଶିଳ୍ପ, ପଟ୍ଟଚିତ୍ର, ପଥର ଶିଳ୍ପ, କୋରାପୁଟ କଫି, ମିଲେଟ୍ ପ୍ରସ୍ତୁତ ଖାଦ୍ୟ ତଥା ମିଶନ ଶକ୍ତି ସଦସ୍ୟଙ୍କ ପ୍ରସ୍ତୁତ ସାମଗ୍ରୀ ଓଡିଶା ପାଭିଲିୟନରେ ସ୍ଥାନିତ ହୋଇଥିଲା।

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ପାଭିଲିୟନ ପରିଦର୍ଶନ କରିଥିଲେ। ସେହିପରି ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଞ୍ଜୟ କୁମାର ସିଂ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ସମେତ ସମେତ ବହୁ ବରିଷ୍ଠ ଅଧିକାରୀ ପାଭିଲିୟନ ପରିଦର୍ଶନ କରିଥିଲେ। ମେଳାର ପରମ୍ପରା ଅନୁସାରେ ନଭେମ୍ବର ୧୯ ତାରିଖରେ ଓଡିଶା ରାଜ୍ଯ ଦିବସ ପାଳନ ହୋଇଥିଲା। ଏଥିରେ ବହୁ ସ୍ବନାମଧନ୍ୟ କଳାକାର ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।

Spread the love