କୃଷକ ପଞ୍ଚାୟତ ଜରିଆରେ ମୋଦୀ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ବୁଝାଇବ ବିଜେପି

ଭୁବନେଶ୍ବର: ରାଜ୍ୟର ପ୍ରତି ପଞ୍ଚାୟତରେ କୃଷକ ପଞ୍ଚାୟତ କରିବ ବିଜେପି କିଷାନ ମୋର୍ଚ୍ଚା। ଲୋକଙ୍କୁ ଏକାଠି କରି କେନ୍ଦ୍ରର ମୋଦୀ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ବୁଝାଇବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି କିଷାନ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ।

ରାଜ୍ୟ ବିଜେପି କିଷାନ ମୋର୍ଚ୍ଚା ସଭାପତି କହିଛନ୍ତି, ଗତ ୯ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ଲାଗି ଯୋଗାଇଥିବା ସହାୟତା ସଂପର୍କରେ ଲୋକଙ୍କୁ ବୁଝାଯିବ। ଏହାସହ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଆଉ କେନ୍ଦ୍ରରୁ ଆସୁଥିବା କୃଷକଙ୍କ ପାଖରେ ନ ପହଞ୍ଚିବା ନେଇ ଲୋକଙ୍କୁ ସଚେତନ କରିବେ କୃଷକ ମୋର୍ଚ୍ଚା ସଦସ୍ୟ। ୨୦୨୪ ସାଧାରଣ ନିର୍ବାଚନ ଲାଗି ଆଜି ବସିଥିବା ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି କିଷାନ ମୋର୍ଚ୍ଚା ବୈଠକରେ ସବୁ ଜିଲ୍ଲାର କିଷାନ ମୋର୍ଚ୍ଚା ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ। ରାଜ୍ୟ ବିଜେପି ସଂଗଠନ ସଂପାଦକ ମାନସ ମହାନ୍ତି, କିଷାନ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସଫଳ କୃଷକ କଲ୍ୟାଣ ଯୋଜନା ଓ ରାଜ୍ୟରେ କୃଷକଙ୍କ ଉନ୍ନତି ଆଉ ଚାଷୀଙ୍କ ଆୟ ଦୁଇ ଗୁଣ କରିବାରେ ବିଫଳତା ଉପରେ ଆଲୋଚନା ହୋଇଛି। ଆଗକୁ ଚାଷୀ ସମସ୍ୟା ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବି ନିଷ୍ପତ୍ତି ହୋଇଛି।

Spread the love