ଭାଜପାର ଦେଶ ବିଭାଜନ ବିରୋଧରେ କଂଗ୍ରେସର ଆନ୍ଦୋଳନ ବ୍ୟାପକ ହେବ

ଲୋକସଭା ଓ ରାଜ୍ୟସଭାରେ ସଂଖ୍ୟାବଳକୁ ଧରି ଭାଜପା ଦେଶର ଆଇନକୁ ପରିବର୍ତ୍ତନ କରିବାରେ ଲାଗିଛି । ସମ୍ବିଧାନକୁ ହତ୍ୟା ସହ ଗଣତନ୍ତ୍ରକୁ ଅସୁରକ୍ଷିତ କରୁଛି । ଭାଜପାର ଏଭଳି ବିଚ୍ଛିନ୍ନତାବାଦୀ ଆଭିମୁଖ୍ୟକୁ କଂଗ୍ରେସ କଡା ମୁକାବିଲା କରିବ । ଆସନ୍ତା ଜାନୁୟାରୀ ପହିଲାରୁ ରାଜ୍ୟର ପ୍ରତି ପଞ୍ଚାୟତରେ ଦଳ ପକ୍ଷରୁ ଭାରତ ବଞ୍ଚାଅ ଅଭିଯାନକୁ ବ୍ୟାପକ କରିବା ପାଇଁ କଂଗ୍ରେସ ଆହ୍ୱାନ ଦେଇଛି । ଦଳର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ କଂଗ୍ରେସଭବନଠାରେ ସବୁ ନେତା ଏକାଠି ହୋଇ ଆଗାମୀ ଦିନରେ ଏକଜୁଟଭାବେ ଲଢ଼େଇ କରିବାକୁ ଘୋଷଣା କରିଛନ୍ତି ।
ପ୍ରଦେଶ କଂଗ୍ରେସଭବନଠାରେ ଶନିବାର ପୂର୍ବାହ୍ଣରେ ଦଳୀୟ ନେତାମାନେ ମହାତ୍ମା ଗାନ୍ଧି ଓ ଅନ୍ୟ ବରପୁତ୍ରମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦଳର ଆଗାମୀ ରଣନୀତି ଉପରେ ଆଲୋଚନା କରିଥିଲେ । ସମସ୍ତ ଜିଲ୍ଲା କଂଗ୍ରେସ ସଦସ୍ୟମାନଙ୍କ ଗହଣରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ଅଖିଳେଶ ସିଂ, କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ରଙ୍କ ସମେତ ଦଳର ତୁଙ୍ଗନେତାମାନେ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ କଂଗ୍ରେସ ଆଗାମୀ ଦିନରେ ପାଳନ କରିବାକୁ ଯାଉଥିବା ଭାରତ ବଞ୍ଚାଅ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଜାନୁୟାରୀ ମାସ ସୁଦ୍ଧା ପିସିସି କମିଟି ଓ କର୍ମକର୍ତ୍ତା ଚୟନ ହୋଇଯିବା ପରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରାଯିବ ବୋଲି ପିସିସି ସଭାପତି ଆହ୍ୱାନ ଦେଇଥିଲେ । ଦେଶର ସୁରକ୍ଷା ପାଇଁ ଭାଜପା ନେତୃତ୍ୱାଧୀନ ସରକାର ଆଣୁଥିବା ବିଭିନ୍ନ ଜନବିରୋଧୀ ନୀତିକୁ ଲୋକଙ୍କ ପାଖକୁ ନିଆଯିବ । କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ବିଜଦ ସରକାର ଲୋକଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ସେମାନଙ୍କୁ ଅସୁବିଧାରେ ପକାଉଛନ୍ତି । ସିଏଏ, ଏନ୍‍ଆରସି ଓ ଏମ୍‍ପିଆର ଭଳି କାର୍ଯ୍ୟକ୍ରମକୁ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯିବ । କଂଗ୍ରେସ ଅହିଂସା ନୀତିରେ ବିଶ୍ୱାସ କରିଆସୁଥିବାବେଳେ ଗଣତାନ୍ତ୍ରିକ ଉପାୟରେ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରହିବ । ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହା ଉପରେ ଦଳ ତର୍ଜମା କରୁଥିବାବେଳେ ଇତି ମଧ୍ୟରେ ପ୍ରଦୀପ ବିବୃତ୍ତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ବିବାଦୀୟ ମନ୍ତବ୍ୟକୁ କଂଗ୍ରେସ ବିରୋଧ କରେ ବୋଲି ବୈଠକରେ ସହମତି ହୋଇଥିଲା ।
ପ୍ରତିଷ୍ଠା ଦିବସ ପାଳନ ପରେ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନଠାରୁ ବାହାରି ରାଜଭବନ ଅଭିମୁଖେ ଯାଇଥିଲା । ଏଜି ଛକ ନିକଟରେ ପୁଲିସ ପ୍ରଦର୍ଶନକାରୀଙ୍କୁ ଆଗକୁ ନଛାଡିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜଭବନକୁ ଯାଇ ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପରେ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ସମ୍ପାଦକ ଅଖିଳେଶ ସିଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ କଟୁ ସମାଲୋଚନା କରିଥିଲେ । ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ସମସ୍ୟା ଦେଶର ଆର୍ôଥକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଟିପ୍ପଣୀ ରଖିଥିଲେ । ସିଏଏ, ଏନ୍‍ଆରସି ଏବଂ ଏମ୍‍ପିଆର ଭଳି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ଯାଇ ସାରା ଦେଶରେ ବିରୋଧରେ ସମ୍ମୁଖୀନ ହେଉଛନ୍ତି । ମୋଦୀ ସରକାର ଦେଶରେ ଏଭଳି ଆଇନ ପ୍ରଣୟନ କରି ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ପ୍ରୟାସ କରାଯାଉଛି । ଭାଜପା ଏବଂ ଆରଏସ୍‍ଏସ୍‍ ମିଳିମିଛି ଦେଶର ସଂହତି ଭଙ୍ଗ ପାଇଁ ପ୍ରସାୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ବିଭିନ୍ନ ରାଜ୍ୟରେ ଏହାକୁ ନେଇ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଆଇନ ପ୍ରତ୍ୟାହାର ନହେବା ଯାଏଁ କଂଗ୍ରେସର ସଂଗ୍ରାମ ଜାରି ରହିବ । ଦେଶର ଅର୍ଥନୀତି ଓ ଆଇନ ଶୃଙ୍ଖଳା ଏବେ ବିପର୍ଯ୍ୟୟ ହୋଇଛି । ମହିଳାମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ଅଛନ୍ତି । ପ୍ରତିଦିନ ଏମାନଙ୍କ ଉପରେ ଅତ୍ୟାଚାର ବଢ଼ିବଢ଼ି ଚାଲିଛି । ଏସବୁକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ଜୋରଦାର କରୁଛି । ଓଡ଼ିଶାରେ ଏହି ଭାରତ ବଞ୍ଚାଅ ଅଭିଯାନ ସମସ୍ତ ଜିଲ୍ଲା, ବ୍ଲକ ଓ ଗ୍ରାମପଞ୍ଚାୟତରେ ପହଞ୍ôଚବ ବୋଲି ଅଖିଳେଶ କହିଛନ୍ତି । ମୋଦୀ ସରକାର ନିଜ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଦଳ ବାଧ୍ୟ କରିବ ବୋଲି ଶ୍ରୀ ସିଂ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

Spread the love