ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ, ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଗତ ଦିନରେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲାକୁ ସଫଳତାର ସହିତ ସଂପାଦନ କରିଛି। ଏଥି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି। ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ମଜବୁତ୍‌ କରିବାକୁ ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛି। ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ଏହାର ଭିତ୍ତିଭୂମି ପାଇଁ ୨ ହଜାର କୋଟି ଖର୍ଚ୍ଚ ହେବ। ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ। ଓଡ଼ିଶା ବିପର୍ଯ୍ୟୟ ପ୍ରସମନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା। ୱାର୍ଡମେମ୍ବରଠୁ ନେଇ ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରଶିକ୍ଷଣ ନେବେ। ସବୁ ଗାଁରେ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ। ସବୁ ପଂଚାୟତ ଗୁଡିକରେ ଲାଗିବ ଅଟୋମେଟେଡ ୱେଦର ଓ ରେନ୍ ଗଜ ଷ୍ଟେସନ। ୩ହଜାର ପଂଚାୟତ ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇବ। ଏହା ସହ ସବୁ ସରକାରୀ ଅଧିକାରୀ ବିପର୍ଯ୍ୟୟ ମୁକାବିଲା ତାଲିମ ନେବେ। ସେହିଭଳି ବିପର୍ଯ୍ୟୟ ନେଇ ମୁକାବିଲାରେ ଗତ ୧୦ ବର୍ଷରେ ଅନେକ ପରିବର୍ତ୍ତନ ଆସିଛି। ରାଜ୍ୟରେ ପ୍ରାୟ ୨୦ଟି ଓଡିଆରଏଫ ଟିମ୍ ଥିବା ବେଳେ ଏବେ ସବୁ ଜିଲ୍ଲାରେ ଓଡିଆରଏଏଫ ଟିମ୍ ରହିବାର ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

Spread the love