ଓଡିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟଙ୍କାରୁ ବଂଚିତ କରାଯାଉଛି – ଧର୍ମେନ୍ଦ୍ର ପ୍ରଧାନ

ଢ଼େଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ କୃଷି କ୍ଷେତ୍ରରେ ବିପୁଳ  ଆର୍ଥିକ ଅନୁଦାନ ଏବଂ ସହାୟତା ଦେଉଥିବା ବେଳେ ରାଜ୍ୟରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟଙ୍କାକୁ ଦେବାର ବଞ୍ଚିତ କରାଯାଉଛି ବୋଲି ଶନିବାର ଢ଼େଙ୍କାନାଳର ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଚାଷୀ ମାନଙ୍କୁ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ କୃଷି ଆଇନ ଦ୍ୱାରା ଓଡ଼ିଶା ସମେତ ଭାରତବର୍ଷର ଚାଷୀମାନେ ଅଧିକ ଲାଭ ପାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ ।

ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ମୋଟ ୬୦ ହଜାର ୮୩୬.୯୭ କୋଟି ଟଙ୍କା ଦିଆଯାଇଛି । ୨୦୧୯-୨୦  ଆର୍ଥିକ  ବର୍ଷରେ ଢେଙ୍କାନାଳ ଚାଷୀଙ୍କ ଠାରୁ ମୋଦି ସରକାର ୧ ଲକ୍ଷ ୨୮ ହଜାର ୬୧୦ ମେଟ୍ରିକ୍ ଟନର ଖାଦ୍ୟଶସ୍ୟ କ୍ରୟ କରିଛନ୍ତି। ୨୦୧୯- ୨୦ ଆର୍ଥିକ ବର୍ଷରେ ଅନୁଗୁଳ ଚାଷୀଙ୍କ ଠାରୁ ମୋଦି ସରକାର ୮୬ ହଜାର ୨୯୨ ମେଟ୍ରିକ୍ ଟନର ଖାଦ୍ୟଶସ୍ୟ କ୍ରୟ କରିଛନ୍ତି। ରାଜ୍ୟରେ କିନ୍ତୁ ପ୍ରଶାସନ ଏବଂ ମଧ୍ୟସ୍ଥିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । କେବଳ ଗୋଟିଏ ପକ୍ଷ ଦଳର ସମର୍ଥକଙ୍କୁ ଟୋକନ ବ୍ୟବସ୍ଥାରେ ଅନ୍ତଭୃକ୍ତ କରାଯାଉଛି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ଚାଷୀଙ୍କ କାଳିଆ ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ନୂଆ କୃଷି ଆଇନରେ ଚାଷୀମାନେ ଏପିଏମଏସି ମଣ୍ଡିରେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ସହ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରି ନିଜ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବେ । ନୂଆ ଆଇନରେ ଗୋଟିଏ ଦେଶ ଓ ଗୋଟିଏ ବଜାର ତଥା ଇ-ନାମର ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଢ଼େଙ୍କାନାଳର ଆମ୍ବ ବମ୍ବେ ଏବଂ ଅନୁଗୁଳର ଲିଚୁ ପଶ୍ଚିମବଙ୍ଗ ବଜାରରେ ବିକ୍ରି ହୋଇପାରିବ। ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ହୋଇଛି ନୂଆ କୃଷି ଆଇନ। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷି ଆଇନରେ ବ୍ୟବସ୍ଥା ହୋଇଛି । କୃଷି ଉତ୍ପାଦ ସଂଗଠନ(ଏଫପିଓ) ଓ ୧ ଲକ୍ଷ କୃଷି ଭୂତିଭୂମି ପାଣ୍ଠି ଓଡ଼ିଶାର ଚାଷୀ ମାନଙ୍କୁ ଲାଭ ଦେବ । ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ପାଇପାରିବେ । ଓଡ଼ିଶାର ବରଗଡ଼ ପରେ ଢ଼େଙ୍କାନାଳରେ କୃଷି ବର୍ଜ୍ୟରୁ ଇଥାନଲ ପ୍ରସ୍ତୁତ କରାଯିବାର ମଧ୍ୟ ଯୋଜନା କରାଯାଉଛି ।

୨୦୧୩-୧୪ ଆର୍ଥିକ ବର୍ଷରେ କଂଗ୍ରେସ ସରକାର ଓଡ଼ିଶାରୁ ୨.୮ ମିଲିୟନ ମେଟ୍ରିକ ଟନର ଖାଦ୍ୟଶସ୍ୟ କ୍ରୟ କରିଥିବା ବେଳେ ୨୦୧୯-୨୦ ଆର୍ôଥକ ବର୍ଷରେ ମୋଦି ସରକାରରେ ଓଡ଼ିଶାରୁ ୭.୦୫ ମିଲିୟନ ମେଟ୍ରିକ୍ ଟନ ଖାଦ୍ୟଶସ୍ୟ କିଣାଯାଇଛି । ୨୦୧୪ରେ ଧାନର ଏମଏସପି କ୍ୱିଂଟାଲ୍ ପିଛା ୧୩୧୦ ଟଙ୍କାବେଳେ ମୋଦି ସରକାରରେ ୨୦୧୯-୨୦ ବର୍ଷରେ ହୋଇଛି ୧୮୧୫ ଟଙ୍କା ଏବଂ ଚଳିତବର୍ଷ ଧାନର ଏମଏସପି ୧୮୬୭ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମାତ୍ର କିଛି ନଖ ଘଷୁଥିବା ଗୋଷ୍ଠୀ, ଭାରତ ବିରୋଧୀ ଓ ପାକିସ୍ତାନର ଗୁଣଗାନ ଗାଉଥିବା ଲୋକମାନେ ପ୍ରଧାନମନ୍ତ୍ରୀଙ୍କ କୃଷି ଆଇନକୁ ବିରୋଧ କରିବାର ଷଡ଼ଯନ୍ତ୍ର କରୁଛନ୍ତି । କୃଷି ଆଇନକୁ ନେଇ ଚାଷୀଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି । ଏମଏସପି ଏବଂ ଜମି ଅନ୍ୟ  ଜଣଙ୍କ ପାଖକୁ ଚାଲିଯିବାର ଭୟ ଚାଷୀଙ୍କ ମନରେ ତିଆରି କରାଯାଉଛି। ଏହାର ଜବାବ୍ ଚାଷୀମାନେ ନିଶ୍ଚୟ ଦେବେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘରେ ବିଜୁ ପକ୍କାଘର ଯୋଜନାର ଷ୍ଟିକର
ମରାଯାଉଛି। ଏଥିରୁ ପର ଘର ତିଅଣରେ ଅତିଥି ସତ୍କାର କରିବା ରାଜ୍ୟ ସରକାରଙ୍କୁ ଜଣା ମନେହେଉଛି। ଓଡ଼ିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଉଥିବା ଟଙ୍କା ଉକ୍ତ ଘର ପର୍ଯ୍ୟନ୍ତ ପହଁଚାଇବା ପାଇଁ ଜଗିବା ଦରକାର । ୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ହେବା ନେଇ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି
ଦେଇଥିବା ବେଳେ ଓଡ଼ିଶାକୁ ଘର ପାଇଁ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କାକୁ ଜଗିବାର ଆବଶ୍ୟକତା ରହିଛି ।

Spread the love