ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଖରା ଛୁଟି ବଢ଼ାଇଲେ ସରକାର

ଆସନ୍ତାକାଲିଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା। ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଖରା ଛୁଟି ବଢ଼ାଇଛନ୍ତି ରାଜ୍ୟ ସରକାର। ଖରାଛୁଟି ଜୁନ୍ 25 ଯାଏଁ ବଢ଼ିଛି। 26 ତାରିଖରେ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର।

ସୌସୁମୀ ଆସିବାରେ ବିଳମ୍ୱ ହେଉଥିବାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଆଜି ରାଜଧାନୀ ଭୁବନେଶ୍ୱରରେ ପାଗ କାଉଁଳିଆ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ହେଉଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି। ଏପରିସ୍ଥିତିରେ ଛୋଟପିଲାମାନେ ସ୍କୁଲ ଯିବା ନିରାପଦ ନୁହେଁ। ସେଥିପାଇଁ ରାଜ୍ୟ ସରକାର ଖରା ଛୁଟି ବଢ଼ାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବାତ୍ୟା ଫନି ଯୋଗୁ ଅନେକ ସ୍କୁଲର ଛାତ ଉଡି ଯାଇଛି। କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଗୁଡ଼ିକ ମରାମତି ହୋଇପାରି ନାହିଁ। ଯେଉଁଥିପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି ବଢ଼ାଇଥିବା ଅନୁମାନ କରାଯାଉଛି।

Spread the love